ନୂଆପଡ଼ା,୮ା୯ (ମକାରୁ ବେମାଲ):ବଣପାହାଡ଼ ଘେରା ପ୍ରାକୃତିକ ପରିବେଶରେ ରହିଛି ନୂଆପଡ଼ାର ପ୍ରସିଦ୍ଧ ଚାଉଳଧୁଆ ଜଳପ୍ରପାତ। ପାହାଡ଼ର ଛାତି ଚିରି ଝରିପଡ଼ୁଥିବା ଜଳଧାରାର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କ ଆକୃଷ୍ଟ କରୁଛି। ସୁନାବେଡା ଅଭୟାରଣ୍ୟ ଭିତରେ ଖରଳଧସ, ବେନିଆଧସ, ଗୋଧସ ଭଳି ଅନେକ ଜଳପ୍ରପାତ ରହିଛି। ହେଲେ ଚାଉଳଧୁଆ ଜଳପ୍ରପାତ ଅନ୍ୟତମ। ଯେଉଁଠି ଦିନେ ମାଓବାଦୀ ଲାଲ ତାଣ୍ଡବ ରଚୁଥିଲେ, ସେଇଠି ଏବେ ଲାଗିଛି ପର୍ଯ୍ୟଟକଙ୍କ ଭିଡ। ପାହାଡ଼ର ନୀରବତା ଭିତରେ ଝରଣାର କୁଳୁକୁଳୁ ନାଦ ଓ ଚାରିପାଖରେ ସବୁଜିମା ପରିବେଶ ବେଶ୍ ଉପଭୋଗ୍ୟ। ବର୍ଷା ଆସିଲେ ଯେମିତି ନୂଆ ରୂପରେ ସଜେଇ ହେଉଛି ଏହି ଜଳପ୍ରପାତ। ପାହାଡ଼ ଶିଖରରୁ ଝରିପଡ଼ୁଥିବା ଜଳଧାରାର ମନଲୋଭା ଦୃଶ୍ୟ ଦେଖିବାକୁ ନୂଆପଡ଼ା ସମେତ ବରଗଡ଼, ବଲାଙ୍ଗୀର, କଳାହାଣ୍ଡି ଏବଂ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରୁ ଛୁଟି ଆସୁଛନ୍ତି ପର୍ଯ୍ୟଟକ। କର୍ମମୟ ଜୀବନର କ୍ଳାନ୍ତି ଭୁଲି କିଛି ସମୟ ପାଇଁ ପ୍ରକୃତିର କୋଳରେ ହଜିଯାଉଛନ୍ତି ଲୋକେ। ଝରଣାର ଜଳରାଶରେ ଖେଳିବା ସହ ପାହାଡ଼, ଝରଣା ଓ ସବୁଜିମାର ମନୋରମ ଦୃଶ୍ୟକୁ କ୍ୟାମେରାରେ ସାଇତି ରଖୁଛନ୍ତି। ସୀମାନ୍ତ ଅଞ୍ଚଳରେ ଥିବା ଚାଉଳଧୁଆ ଆଜି ବି ବିକାଶକୁ ଅପେକ୍ଷା କରିଛି। ଜଳପ୍ରପାତକୁ ଯିବା ପାଇଁ ନା ଅଛି ସୁଗମ ରାସ୍ତା, ନା ଅଛି ପର୍ଯ୍ୟଟକଙ୍କ ପାଇଁ ପର୍ଯ୍ୟାପ୍ତ ମୌଳିକ ସୁବିଧା। ବିଶୁଦ୍ଧ ପାନୀୟ ଜଳଠାରୁ ଆରମ୍ଭ କରି ଶୌଚାଳୟ ଓ ବିଶ୍ରାମସ୍ଥଳୀ ଅଭାବ ରହିଛି। ଏହି ପର୍ଯ୍ୟଟନସ୍ଥଳୀକୁ ସରକାରୀ ଯୋଜନାରେ ସାମିଲ କରାଯାଇ ଆବଶ୍ୟକ ଭିତ୍ତିଭୂମିର ବିକାଶ କରାଗଲେ ଆଗାମୀ ଦିନରେ ନୂଆପଡ଼ାର ପର୍ଯ୍ୟଟନ ମାନଚିତ୍ରରେ ଯୋଡ଼ି ହୋଇ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ସାଧାରଣରେ ମତପ୍ରକାଶ ପାଉଛି। ଏ ସଂକ୍ରାନ୍ତରେ ଜିଲାପାଳ ମଧୁସୂଦନ ଦାଶଙ୍କୁ ପଚାରିବାରୁ ଆମେ ପର୍ଯ୍ୟାୟ କ୍ରମେ ସବୁ ପର୍ଯ୍ୟଟନ କ୍ଷେତ୍ରର ବିକାଶ କରିବା ପାଇଁ ଯାଉଛୁ। ଜିଲାରେ ଯେତେ ପର୍ଯ୍ୟଟନ ସ୍ଥଳୀ ଅଛି ସେସବୁ ଉପରେ ସରକାରଙ୍କୁ ଅବଗତ କରିଛୁ ବୋଲି କହିଥିଲେ।