ଗୋଡ଼ାଇ କାମୁଡିଲା ଶିଆଳ: ୩ ଶିଶୁ ସମେତ ୧୦ ଆହତ

ଖଇରା (ଉତ୍କଳବନ୍ଧୁ ପଣ୍ଡା)/ସୋର (ଜନ୍ମେଜୟ ମିଶ୍ର),୨୯।୭: ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଡାଲଙ୍ଗ ଗ୍ରାମରେ ଶୁକ୍ରବାର ଏକ ଶିଆଳ ଆତଙ୍କ ଖେଳାଇଛି। ୩ଜଣ ଶିଶୁ ସମେତ ୧୦ଜଣଙ୍କୁ ଶିଆଳ କାମୁଡି ଖଣ୍ଡିଆଖାବରା କରିପକାଇଛି। ପରେ ଗ୍ରାମର ପୋଷା କୁକୁରଙ୍କ ସହାୟତାରେ ଶିଆଳକୁ କାବୁ କରାଯିବା ସହ ବନବିଭାଗକୁ ହସ୍ତାନ୍ତର କରାଯାଇଛି। ଆହତମାନଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଓ ସୋର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତୀ କରାଯାଇଛି ।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଜଳଦା ଗ୍ରାମଆଡୁ ଏକ ଶିଆଳ ଡାଲଙ୍ଗ ଗ୍ରାମକୁ ପଶିଆସି ପ୍ରଥମେ ମାଡିକୁଢିଆ ଅଙ୍ଗନୱାଡି କେନ୍ଦ୍ରର ଛାତ୍ର ଦୀପଙ୍କର ବେହେରାଙ୍କୁ କାମୁଡିଥିଲା । ପରେ ନିକଟସ୍ଥ ଶରବାଡି ପ୍ରାଥମିକ ବିଦ୍ୟାଳୟକୁ ଯାଉଥିବା ଶିଶୁ ତୃପ୍ତିମୟୀ ବେହେରା, ପବିତ୍ରା ସାହୁ ଓ ଅନ୍ୟ କେତେଜଣ ଛାତ୍ରୀଛାତ୍ରଙ୍କୁ ଆକ୍ରମଣ କରି ଖଣ୍ଡିଆଖାବରା କରିଥିଲା। ପିଲାମାନଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଦୌଡି ଆସିବା ପରେ ଶିଆଳ ଗ୍ରାମର କୈଳାସ ମଲ୍ଲିକ(୫୫), ଅର୍ଜୁନ ବେହେରା(୩୦), ମନୋରମା ସାହୁଙ୍କ ସମେତ ଅନ୍ୟ କେତେଜଣ ଗ୍ରାମବାସୀଙ୍କୁ ମଧ୍ୟ ଛାଡି ନ ଥିଲା। ଗ୍ରାମରେ ଥିବା କୁକୁରଗୁଡିକ ଏକାଠି ହୋଇ ଶିଆଳକୁ ଗୋଡେଇ ଗୋଡେଇ କାମୁଡି ଧରିବା ପରେ ଗ୍ରାମବାସୀ ତାଙ୍କୁ ଧରି ବାନ୍ଧିବାକୁ ସକ୍ଷମ ହୋଇଥିଲେ।