ହାତୀ ଘଉଡାଅ, କ୍ଷତିପୂରଣ ଦିଅ

ଅମରପାଲି, ୨୧ା୧୦(ଡି.ଏନ୍‌.ଏ) – ସୋନପୁର ବନଖଣ୍ଡ ଅନ୍ତର୍ଗତ ଉଲୁଣ୍ଡା ରେଞ୍ଜ କୋଟସମଲାଇ ଅଞ୍ଚଳରେ ହାତୀପଲ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ସୋମବାର ରାତିରେ ପ୍ରାୟ ୫୦ରୁ ୬୦ ସଦସ୍ୟ ଥିବା ଏକ ହାତୀପଲ ଆସି ସାରସଦାଦର ଗ୍ରାମର ଧାନଚାଷ ଦଳିଚକଟି ନଷ୍ଟ କରିଦେଇଛନ୍ତି। ଏହା ସହ ପ୍ରତ୍ୟହ ସନ୍ଧ୍ୟା ହେବା ମାତ୍ରେ ଅଞ୍ଚଳର ସୁନାପାଲି, କୋଟସମଲାଇ, ମହୁଖଣ୍ଡି, ସାଗଯୋରୀ, ଆଦି ଗ୍ରାମର ଚାଷ ଜମିରେ ପଶି ଧାନ ଫସଲ ନଷ୍ଟ କରୁଛନ୍ତି। ସାରସଦାଦର ଗ୍ରାମର ରମାକାନ୍ତ ଭୋଇ ଚାଷ କରିଥିବା ୨ ଏକର ଜମିର ଫସଲକୁ ଏହି ହାତୀପଲ ଦଳିଚକଟି ନଷ୍ଟ କରିଛନ୍ତି। ଏହା ବ୍ୟତୀତ ଗ୍ରାମର ସୁନ୍ଦର ଡାଙ୍ଗ, ସୁବ୍ରତ ପ୍ରଧାନ, ଅନନ୍ତ ପ୍ରଧାନଙ୍କ ଧାନ କିଆରିରେ ପଶି ଫସଲ ନଷ୍ଟ କରିଛନ୍ତି। ଚଳିତ ବର୍ଷ ଚାଷୀ ଭଲ ଫସଲ ଅମଳର ଆଶା ରଖିଥିବାବେଳେ ହାତୀ ଉପଦ୍ରବ ପରେ ଏବେ ହତାଶ ହେବାକୁ ପଡିଛି। ବନବିଭାଗକୁ ଏ ନେଇ ଖବର ଦେଲେ ମଧ୍ୟ ସେମାନେ ଠିକ୍‌ ଭାବରେ ହାତୀ ଘଉଡାଇ ନ ଥିବା ଅଭିଯୋଗ ହେଉଛି। ପ୍ରତିବର୍ଷ ଉକ୍ତ ଅଞ୍ଚଳକୁ ହାତୀପଲ ଆସି ଫସଲ ନଷ୍ଟ କରୁଥିଲେ ମଧ୍ୟ ଏହାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରାଯାଉ ନ ଥିବାରୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ନେଇ ଉଲୁଣ୍ଡା ରେଞ୍ଜ ଅଧିକାରୀ ଶିବପ୍ରସାଦ ନାଏକଙ୍କୁ ପଚାରିବାରୁ ବନବିଭାଗ ପକ୍ଷରୁ ହାତୀ ଘଉଡାଯାଉଛି ବୋଲି କହିଛନ୍ତି। ଯେଉଁ ଚାଷୀମାନଙ୍କ କ୍ଷୟକ୍ଷତି ହୋଇଛି ତାହାର ଆକଳନ କରାଯାଇ କ୍ଷତିପୂରଣ ଦିଆଯିବ ବୋଲି ସେ କହିଛନ୍ତି।