Categories: ଫୁରସତ

୫୫ ସେକେଣ୍ଡର ଏହି ଭିଡିଓ ୫କୋଟି ଟଙ୍କାରେ ବିକ୍ରି: ଜାଣନ୍ତୁ କ’ଣ ରହିଛି ଏଥିରେ…

ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଶେୟାର କରାଯାଏ। ବର୍ତ୍ତମାନ ୟୁଟ୍ୟୁବ ଲୋଙ୍କମାନଙ୍କ ଆୟର ଏକ ଜରିଆ ପାଲଟିଥିବା ବେଳେ ଏହା ଦ୍ୱାରା ଅନେକ ଲୋକ ରାତାରାତି ଷ୍ଟାର ମଧ୍ୟ ପାଲଟି ଯାଉଛନ୍ତି। ପ୍ରତ୍ୟେକ ଦିନର କାର୍ଯ୍ୟଶୈଳୀ ହେଉ ବା ଫନି କିମ୍ବା ଛୋଟ ପିଲାଙ୍କ ଭିଡିଓକୁ ୟୁଟ୍ୟୁବରେ ଶେୟାର କରାଯାଏ। ବେଳେ ବେଳେ ଫନି କିମ୍ବା ଛୋଟ ପିଲାଙ୍କ ଭିଡିଓ ଏତେ ମାତ୍ରାରେ ଭାଇରାଲ ହୋଇଥାଏ ଯେ, କେହିବି କଳ୍ପନା କରି ନ ଥିବେ। ଆଉ ସେଥିରୁ ଆୟ ହୋଇଥାଏ ଲକ୍ଷ ଲକ୍ଷ ଟଙ୍କା। ନିକଟରେ ୟୁଟ୍ୟୁବରେ ୫୫ସେକେଣ୍ଡର ଏକ ଭିଡିଓ ସୋସିଆଲ ମିଡିଆର ଏତେ ଧୁମ୍‌ ମଚାଇଥିଲା ଯେ, ଏଥିରୁ ପୁରା ପରିବାରର ଭାଗ୍ୟ ବଦଳିଯାଇଥିଲା। ଆଜ୍ଞା ହଁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ।

ସୂଚନାଯୋଗ୍ୟ, ୨୦୦୭ ମେ’ରେ ୟୁଏସ୍‌ର ଆଇଟି କମ୍ପାନୀର ପରିଚାଳକ ହାବାର୍ଡ କୋର ୟୁଟ୍ୟୁବରେ ୫୫ ସେକେଣ୍ଡର ଏକ ଭିଡିଓ ଅପ୍‌ଲୋଡ କରିଥିଲେ ବୋଲି ଓ୍ବେବସାଇଟ ମେଲ୍‌ ଅନ୍‌ଲାଇନ କହିଛି। ଏହି ଭିଡିଓରେ ଦୁଇ ଶିଶୁ ହେରୀ ଓ ଚାର୍ଲି ଏକାସାଙ୍ଗରେ ଗୋଟିଏ ଚେୟାରରେ ବସିଥିବା ଦେଖିବାକୁ ମିଳିଛି। ସେହି ସମୟରେ ଚାର୍ଲି ହେରୀର ଅଙ୍ଗୁଳି କାମୁଡ଼ିଦେଇଥିବା ନଜର ଆସିଛି। ଦୁଇ ଶିଶୁଙ୍କ ଏହି ଫନି ଭିଡିଓକୁ ପ୍ରଶଂସକ ଏତେ ପସନ୍ଦ କରିଛନ୍ତି ଯେ, ଦିନକୁ ଦିନ ତାଙ୍କ ପ୍ୟାନ୍‌ ଫଲୋଇଙ୍ଗ୍‌ ବଢ଼ିବାରେ ଲାଗିଛି। ଏହି ଭିଡିଓକୁ ଅପ୍‌ଲୋଡ କରିବା ସମୟରେ ହାବାର୍ଡଙ୍କୁ ଏହା ଏକ ମଜାଳିଆ ବ୍ୟତୀତ ଏଥିରେ ଆଉ କିଛି ନ ଥିବା ଲାଗିଥିଲା। ତେଣୁ ସେ ଏହି ଭିଡିଓର ନାଁ ‘ଚାର୍ଲି ବିଟ୍‌ ମାଇ ଫିଙ୍ଗର’ ରଖିଥିଲେ।

କିଛି ମାସ ପରେ ଯେତେବେଳେ ଏହି ଭିଡିଓକୁ ସେ ହଟାଇବାକୁ ପୟାସ କରୁଥିଲେ, ସେହି ସମୟରେ ଏହାକୁ ବାରମ୍ବାର ଦେଖାଯାଇଥିବା ସେ ଦେଖିବାକୁ ପାଇଥିଲେ। ୟୁଟ୍ୟୁବ୍‌ରେ ପୋଷ୍ଟ କରାଯାଇଥିବା ଏହି ଭିଡ଼ିଓକୁ ଲୋକେ ୮୩୩ ମିଲିୟନ୍‌ ଥର ଦେଖିସାରିଛନ୍ତି। ତେବେ ସର୍ବାଧିକ ଦେଖାଯାଇଥିବା ଭିଡିଓ ମଧ୍ୟରେ ଏହା ହେଉଛି ଅନ୍ୟତମ। ପରେ ଏହି ଭିଡିଓକୁ ବିଜ୍ଞାପନ ମିଳିଥିବା ବେଳେ ଗତ ବର୍ଷ ଏହା ଜରିଆରେ ଲକ୍ଷ ଲକ୍ଷ ଟଙ୍କା ଆୟ ହୋଇଥିଲା। ଏହାପରେ ଏହି ଭିଡିଓକୁ ‘ଅପୂରଣୀୟ ଟୋକନ’(ଏନ୍‌ଏଫ୍‌ଟି) ନିଲାମ କରିଥିଲା। ୫୫ସେକେଣ୍ଡର ଏହି ଭିଡିଓକୁ ୫କୋଟି ଟଙ୍କାରେ ବିକ୍ରି କରାଯାଇଛି। ଅନ୍ୟପଟେ ଏହି ଭିଡିଓରେ ଥିବା ଉକ୍ତ ଶିଶୁ ଏବେ ବଡ଼ ହୋଇଯାଇଥିବା ଜଣାପଡ଼ିଛି।

Share