Categories: ଜାତୀୟ

ଖାର୍ଗେଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ରାଜ୍ୟ ସଭାରେ ହଟ୍ଟଗୋଳ

ନୂଆଦିଲ୍ଲୀ,୨୧।୧୨(ପି.ଟି.): ରାଜସ୍ଥାନର ଅଲଓ୍ବାରରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ସୋମବାର ରାଜ୍ୟ ସଭାରେ ଶାସକ ଏବଂ ବିରୋଧୀ ସଦସ୍ୟମାନଙ୍କ ମଧ୍ୟରେ ପ୍ରବଳ ହଟ୍ଟଗୋଳ ହୋଇଛି। ସୋମବାର ଅଲଓ୍ବରରେ ଏକ ରାଲିରେ ଖାର୍ଗେ କହିଥିଲେ, କଂଗ୍ରେସ ଦେଶ ପାଇଁ ସ୍ବାଧୀନତା ଆଣିଛି। ଏହାର ଅନେକ ନେତା ଦେଶ ପାଇଁ ପ୍ରାଣବଳି ଦେଇଛନ୍ତି, କିନ୍ତୁ ଭାଜପାର ଗୋଟିଏ କୁକୁର ମଧ୍ୟ ମରିନାହିଁ। ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରାକୁ ଭାଜପା ‘ଭାରତ ତୋଡ଼ୋ ଯାତ୍ରା’ କହି ପରିହାସ କରୁଥିବାରୁ ତାହାର ଜବାବରେ ଖାର୍ଗେ ଏଭଳି କହିଥିଲେ। ସୀମାରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ସଂଘର୍ଷକୁ ନେଇ ପାର୍ଲାମେଣ୍ଟରେ ଆଲୋଚନା କରିବାକୁ ସରକାର ଦେଉ ନାହାନ୍ତି। ଭାଜପା ସରକାର ବାହାରେ ସିଂହ ଭଳି କହୁଥିତ୍ବାବେଳେ ଗୃହ ଭିତରେ ମୂଷା ଭଳି ବୋଲି କଂଗ୍ରେସ ଅଧ୍ୟକ୍ଷ କହିଥିଲେ।
ତାଙ୍କର ବିବାଦୀୟ ମନ୍ତବ୍ୟ ଲାଗି ବିରୋଧୀ ଦଳ କ୍ଷମା ମାଗୁ ବୋଲି ଭାଜପା ଏମ୍‌ପିମାନେ ଗୃହରେ ଦାବି କରିବାରୁ ହଟ୍ଟଗୋଳ ହୋଇଥିଲା। ଖାର୍ଗେ ଯେଉଁଭଳି ଭାଷା ବ୍ୟବହାର କରିଛନ୍ତି ଓ ମିଥ୍ୟାର ପ୍ରସାର କରିବାକୁ ଉଦ୍ୟମ କରିଛନ୍ତି, ତାହାକୁ ଆମେ ନିନ୍ଦା କରୁଛୁ ବୋଲି କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ କହିବା ସହ ଅଲଓ୍ବାରରେ ବ୍ୟବହୃତ ଭାଷା ପାଇଁ ସେ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ। ମନ୍ତବ୍ୟ ପାର୍ଲାମେଣ୍ଟ ବାହାରେ ଦିଆଯାଇଥିବାରୁ ଏହା ଉପରେ ଗୃହରେ ଆଲୋଚନା ହେବା ଉଚିତ ନୁହେଁ ବୋଲି କହି ଖାର୍ଗେ କ୍ଷମା ମାଗିବାକୁ ମନା କରିଦେଇଥିଲେ। ଶୃଙ୍ଖଳା ରକ୍ଷା ଲାଗି ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ୍‌ ଧନ୍‌କର ଗୃହର ନେତାମାନଙ୍କୁ ନିବେଦନ କରିଥିଲେ। ଗୃହରେ ଯାହା ହେଉଛି, ତାହା ଖରାପ ଉଦାହରଣ ସୃଷ୍ଟି କରୁଛି ଏବଂ ଗୃହର ବଦ୍‌ନାମ ହେଉଛି। ଦେଶର ୧୩୫ କୋଟି ଲୋକ ହସୁଛନ୍ତି ବୋଲି ଧନ୍‌କର କହିଥିଲେ।

Share