ପୁରାତନ ଦୃଷ୍ଟିକୋଣ ବଦଳୁ

ନିକଟରେ ମହାକାଶରୁ ସକୁଶଳ ଫେରିଆସିଥିବା ସୁନୀତା ୱିଲିୟମ୍ସଙ୍କ ଚର୍ଚ୍ଚା ସବୁଠି, ଯଦିଓ ତାଙ୍କ ସହିତ ବୁଚ୍‌ ୱିଲ୍‌ମୋର ଓ ଅନ୍ୟ ଦୁଇଜଣ ସହଯାତ୍ରୀ ଥିଲେ। ନାନା ସଂଶୟ ଭିତରେ ଭାରତୀୟ ବଂଶୋଦ୍ଭବ ସୁନୀତାଙ୍କ ପ୍ରତ୍ୟାବର୍ତ୍ତନ ପୃଥିବୀବାସୀଙ୍କୁ ଆଶ୍ୱସ୍ତ କରିବା ସହିତ ଭାରତକୁ ଗର୍ବିତ କରିଛି। ସମଗ୍ର ନାରୀ ଜାତି ପାଇଁ ସୁନୀତା ଉଦାହରଣୀୟ। ପ୍ରତିକୂଳତା ସହିତ ସଂଗ୍ରାମ କରି ୯ମାସ ୧୪ ଦିନ ମହାକାଶରେ ବିତାଇବା କଷ୍ଟକର ତଥା ଆହ୍ବାନପୂର୍ଣ୍ଣ। ନାରୀକୁ ତା’ର ଅସୀମ ଶକ୍ତି ସହିତ ପୁନର୍ବାର ପରିଚିତ କରାଇ ସୁନୀତା ପ୍ରମାଣିତ କରିଦେଲେ ଯେ ନାରୀ କୌଣସି ସ୍ଥିତିରେ ଦୁର୍ବଳା ନୁହେଁ।
ସମୟ ଥିଲା ଝିଅ ଜନ୍ମ ଗୋଟେ ପ୍ରକାରର ପାରିବାରିକ ବୋଝ ରୂପେ ପରିଗଣିତ ହେଉଥିଲା। ଝିଅ ଜନମ ପରଘରକୁ ବୋଲି ବିଚାର କରାଯାଉଥିଲା। ସେଥିପାଇଁ ଖୁବ୍‌ କମ୍‌ ବୟସରୁ ତାକୁ ଶାଶୁଘରର ସଣ୍ଠଣା, ଆଦବ କାଇଦା, ଚାଲିବୋଲି ଶିଖାଯାଉଥିଲା। ମନଖୋଲି ସ୍ବପ୍ନ ଦେଖିବା, ହସିବା, କାନ୍ଦିବା, ରୁଷିବା, ଖୁସିରେ ବିହ୍ବଳି ଉଠିବା, ଅଗଣାର ଫୁଲଗଛରୁ ବୁଲିବୁଲି କଙ୍କି କିମ୍ବା ପ୍ରଜାପତି ଧରିବା, ଫୁଲ ପରି ସ୍ବାଧୀନ ଭାବେ ଫୁଟିଉଠି ବାସ ବିତରିବା କିମ୍ବା ପକ୍ଷୀପଣରେ ଉଡିବା ସବୁକିଛି ତାକୁ ମନା ଥିଲା। ଏରୁଣ୍ଡିବନ୍ଧ ଡେଇଁ ବାହାରକୁ ଯିବା ପାଇଁ ଥିଲା ନାନା କଟକଣା। ଝିଅ ଚାଲିଲା ବେଳେ ତା’ ପାଦ ଶବ୍ଦ ଯେପରି ନ ଶୁଭେ! ସେ ହସିବାର କି କାନ୍ଦିବାର ଶବ୍ଦ ବି ଯେପରି କେହି ନ ଜାଣେ! ପଣତ କିମ୍ବା ତକିଆ ସିନା ଝିଅର କାନ୍ଦିବା ଦେଖେ, ହେଲେ ପାଖ ମଣିଷମାନେ ଯେପରି ସେସବୁ ଅନୁଭବ କରି ନ ପାରନ୍ତି- କାନେ କାନେ ଶିଖାଯାଏ ସେମାନଙ୍କୁ। ଝିଅ ପ୍ରତିବାଦ କରିବା ପାପ, ତା’ ପାଟିରୁ କୌଣସି କାମ ପାଇଁ ନା ବାହାରିବା ଅଶୋଭନୀୟ। ନ ହେଲେ ଘର ଭାଙ୍ଗିଯିବ, ଅଶାନ୍ତି ସୃଷ୍ଟିହେବ। ଝିଅରୁ ନାରୀ, ପତ୍ନୀ, ମା’ ଭୂମିକାରେ ତା’ ହାତପାଦ, ମନ ବି ବନ୍ଧା! ସେ କାଳେ ଯୋଡ଼ିରଖେ ପରିବାରକୁ! ଏତେସବୁ କଟକଣା ଓ ଲକ୍ଷ୍ମଣଗାର ଭିତରର ଜୀବନ ତା’ର ଅଭ୍ୟାସରେ ପରିଣତ ହୋଇଯାଉଥିଲା। ପଞ୍ଜୁରି ଭିତରେ ଯାହାର ଜନ୍ମ, ଜୀବନଧାରଣ ଓ ମରଣ ତାକୁ ମୁକ୍ତାକାଶ କିପରି ଆକର୍ଷିବ! ଧୂଳିରେ ମିଛିମିଛିକା ଭାତ ତିଅଣ, କଣ୍ଢେଇ ବାହାଘର ଭିତରେ ତାକୁ ତା’ ଜୀବନର ଚିତ୍ର ଦେଖାଇ ଦିଆଯାଉଥିଲା। ତାରି ଭିତରେ କେତେବେଳେ ସେ ପରିପକ୍ୱ ହୋଇ ଶାଢ଼ି ଗହଣା, ସିନ୍ଦୂର, ଚୁଡ଼ି ପିନ୍ଧି ଶାଶୁଘରକୁ ଚାଲିଯାଉଥିଲା ହେଜ ନ ଥିଲା।
ଧୀରେ ଧୀରେ ସମୟ ବିତିଲା କିନ୍ତୁ ସମୟାନୁସାରେ ଝିଅମାନଙ୍କ ପାଇଁ ପାରିବାରିକ ଦୃଷ୍ଟିକୋଣ ବଦଳିଲା ନାହିଁ। ତାକୁ କେତେବେଳେ ଘିଅ, କାଚ ପରି ବିଭିନ୍ନ ଦ୍ରବ୍ୟ କିମ୍ବା ଦାନବସ୍ତୁ ରୂପେ ବିବେଚନା କରାଗଲା ତ କେତେବେଳେ ବିଭିନ୍ନ ପଶୁପକ୍ଷୀଙ୍କ ସହିତ ତୁଳନା କରାଗଲା। ନାରୀ ସଶକ୍ତୀକରଣର ଦ୍ୱାହିରେ ସେ ଯେତେବେଳେ ଆଗକୁ ବଢ଼ିଲା ତା’ର ପାଦ ରୋକାଗଲା। ଶିକ୍ଷା, ପଦପଦବୀ, ପରିଚିତି, ରାଜନୀତି ସବୁଥିରେ ପୁରୁଷ ସହିତ ସମକକ୍ଷ ନାରୀଟିକୁ କେବେ ବଳାତ୍କାରର ଶିକାର ହେବାକୁ ପଡ଼ିଲା ତ କେବେ ପାରିବାରିକ ରୋଷ, କର୍ମକ୍ଷେତ୍ରର ମାନସିକ ଓ ଶାରୀରିକ ନିର୍ଯାତନା ତା’ ଜୀବନଯାତ୍ରାର ପ୍ରତିବନ୍ଧକ ସାଜିଲା। ଘରେ, ବାହାରେ ଭିତରେ ବାଣ୍ଟିହୋଇ ସେ ଯେତେ ଭାଙ୍ଗି ହେଲେ ବି ପ୍ରଶଂସାର ପାତ୍ର ବନିଲାନି! ବରଂ ଜିରାରୁ ଶିରା କାଢ଼ି ତାକୁ କଳେବଳେ କୌଶଳେ ଛନ୍ଦି ଦିଆଗଲା। କାରଣ ପୂର୍ବରୁ ଝିଅ/ନାରୀକୁ ନେଇ ଲୋକଙ୍କ ମନୋଦ୍ଦଶା ଆଜି ବି ବଳବତ୍ତର ରହିଛି। ସାତ ମାସର ଶିଶୁଠାରୁ ସତୁରି ବର୍ଷର ବୃଦ୍ଧା କେହି ବି ସୁରକ୍ଷିତ ନୁହନ୍ତି! ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଗଣବଳାତ୍କାରର ବର୍ବରତା ଏବେ ବି ହୃଦୟ ଥରାଇଦେଉଛି! ସେ ଅସୁରକ୍ଷିତା!
ଯୁଗ ବଦଳିଛି। ମଣିଷର ସ୍ଥାନ ରୋବୋ ନେଲାଣି! ମଣିଷ ମହାକାଶକୁ ଗଛଲତା, ଜୀବଜନ୍ତୁଙ୍କ ସହିତ ନିଜର ବାସୋପଯାଗୀ ସ୍ଥାନ ବନାଇବା ପାଇଁ ପରୀକ୍ଷା ନିରୀକ୍ଷା ଚଳାଇଛି। ଅପର ପକ୍ଷରେ ସମାଜରେ ଅଶାନ୍ତି, ବିଶୃଙ୍ଖଳା, ହିଂସା ପ୍ରତିହିଂସା ଓ ଯୁଦ୍ଧର ବିଗୁଲ୍‌! ସୀମାହୀନ ଅହମିକାରେ ମଣିଷ ବନ୍ଦୀ! ନିଜ ଅବଦମିତ କ୍ଷମତା ନିଶାରେ ଅନ୍ଧ ଓ ପରାଧୀନ। ବିଚାରଧାରା ବା ଦୃଷ୍ଟିଭଙ୍ଗୀ ବଦଳାଇବାର ସମୟ ଏବେ ଉପନୀତ। ଆଗରୁ ଝିଅ ବାହାରକୁ ଯିବାରେ କଟକଣା ଥିଲା। କଲେଜ, ଟିଉଶନ୍‌ରୁ ଫେରିବା ବିଳମ୍ବ ହେଲେ ଖୋଜାପଡୁଥିଲା। ବର୍ତ୍ତମାନ ପୁଅଟିର ଫେରିବା ବିଳମ୍ବ ହେଲେ ମା’ବାପା ଓ ଗୁରୁଜନମାନେ ପଚାରି ବୁଝନ୍ତି। ସେ ମିଶୁଥିବା ସାଙ୍ଗ ଓ ତା’ ପରିସର ସହିତ ପରିଚିତ ହୁଅନ୍ତି। ସେ ନିଶାଦ୍ରବ୍ୟ ଖାଉଛି କି ନାହିଁ, ତା’ର ବ୍ୟକ୍ତିଗତ ଜୀବନ କିପରି ଚାଲିଛି ଏସବୁକୁ ଟିକିନିଖି ଜାଣିବା ଆବଶ୍ୟକ। ତା’ର ହାବଭାବ, କଥାବାର୍ତ୍ତା, ଚାଲିଚଳନ ଉପରେ ନଜର ଦେବା ଜରୁରୀ। ସେଥିରୁ ଜଣାପଡ଼ିବ ପୁଅଟି କେଉଁ ରାସ୍ତାରେ ପାଦ ଦେଇଛି। ବିଗତ କିଛିବର୍ଷରୁ ପୁଅମାନେ କରୁଥିବା ହତ୍ୟା, ଆତ୍ମହତ୍ୟା, ବଳାତ୍କାର ବା ଗଣବଳାତ୍କାର ଏ ଦୁଇ ପ୍ରକାରର ମାନସିକତା ସେମାନଙ୍କ ବିଚାରଧାରା ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି!
ପୀଡ଼ିତା ଅପେକ୍ଷା ଆରୋପୀକୁ ଆକ୍ଷେପ କରାଯାଉ। ଆରୋପୀ ବା ଅତ୍ୟାଚାରୀ ଦଣ୍ଡନୀୟ, ପୀଡ଼ିତା ନୁହେଁ। ତେଣୁ ବାରବାର ପୀଡ଼ିତାଙ୍କୁ ନେଇ ଘରେ ବାହାରେ ଆଲୋଚନା ନ ହେଉ। କ୍ଷତକୁ ବାରବାର ଉଖାରିଲା ଭଳି ପ୍ରଶ୍ନ ପଚାରି ତା’ଠାରୁ ସ୍ବାଭାବିକ ଜୀବନଧାରଣର ଅଧିକାର ଛଡ଼େଇ ନିଆ ନ ଯାଉ। ବାହାରକୁ ଯାଉଥିବା ଝିଅ ସହିତ ପୁଅକୁ ବି ଶୀଘ୍ର ଘରକୁ ଫେରିବା ପାଇଁ ତାଗିଦ କରାଯାଉ। ଝିଅ ହେଉ ବା ପୁଅ ଜଣେ ପୀଡ଼ିତ ହେଲେ ଅନ୍ୟଜଣେ ଆରୋପୀ ନିଶ୍ଚୟ। ତେଣୁ ଉଭୟଙ୍କୁ ସମାନ ଶିକ୍ଷାଦାନ ଓ ସଚେତନ କରିବା ଜରୁରୀ। ଛୋଟବେଳୁ ହାତରେ ମୋବାଇଲ ଧରାଇଦେଇ ମା’ବାପା ଧନୀପଣିଆର ଡିଣ୍ଡିମ ନ ପିଟନ୍ତୁ। ଶୈଶବରୁ ନୈତିକ ଶିକ୍ଷା ସହିତ ବୌଦ୍ଧିକ, ମୂଲ୍ୟବୋଧଭିତ୍ତିକ ଶିକ୍ଷା ପ୍ରଦାନ କରି ଝିଅପୁଅ ଉଭୟଙ୍କୁ ସୁଶିକ୍ଷିତ କଲେ ସମାଜର ଅଧୋପତନକୁ ରୋକାଯାଇପାରନ୍ତା। ମନେରଖିବାକୁ ହେବ ଗୋଟେ ହାତରେ ତାଳି ବାଜେନା। ତେଣୁ ଉଭୟଙ୍କୁ ସୁମାର୍ଜିତ, ସୁଶିକ୍ଷିତ ଓ ଶୃଙ୍ଖଳିତ କରିବା ମା’ବାପା ଓ ପରିବାରର ମୁଖ୍ୟ ଦାୟିତ୍ୱ। ସେ ଦାୟିତ୍ୱକୁ ଠିକ୍‌ ରୂପେ ନିର୍ବାହ କଲେ ପରିବାର ସହିତ ସମାଜର ଅଭିବୃଦ୍ଧି ହେବ।

ଡ. ମୌସୁମୀ ପରିଡ଼ା
ମୋ:୯୪୩୭୩୧୭୦୨୬


Enter your email to get our daily news in your inbox.

All Right Reserved By Dharitri.Com

ଛାତିଥରା…ଦୁଇ ଗାଁରେ 162 ଜଣଙ୍କୁ ହତ୍ୟା

ନୂଆଦିଲ୍ଲୀ,୫।୨: ପଶ୍ଚିମ ନାଇଜେରିଆର ଦୁଇଟି ଗାଁରେ ଆକ୍ରମଣ କରି ସଶସ୍ତ୍ର ଆତଙ୍କବାଦୀମାନେ ଅତି କମରେ ୧୬୨ ଜଣଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି। ବୁଧବାର ଦିନ ଜଣେ…

ଘର ଭାଙ୍ଗି ଧାନ, ଚାଉଳ ଖାଇଲେ ହାତୀପଲ

ନୂଆପଡ଼ା,୫ା୨ (ମକାରୁ ବେମାଲ):ନୂଆପଡ଼ା ଜିଲା ସୁନାବେଡା ଅଭୟାରଣ୍ୟ ଭିତରେ ବସବାସ କରୁଥିବା ଏକ ଗଁାର ୧୦ରୁ ଊର୍ଦ୍ଧ୍ୱ ଘରକୁ ହାତୀ ଭାଙ୍ଗିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ…

ୟୁପିଏସ୍‌ସି: କୃତକାର୍ଯ୍ୟଙ୍କୁ ଦ୍ୱିତୀୟ ପରୀକ୍ଷା ମନା, ଚେହେରା ଚିହ୍ନଟ’ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୫।୨: କେନ୍ଦ୍ର ଲୋକ ସେବା ଆୟୋଗ (ୟୁପିଏସ୍‌ସି) ପକ୍ଷରୁ ବୁଧବାର ସନ୍ଧ୍ୟାରେ ୨୦୨୬ ବର୍ଷ ପାଇଁ ସିଭିଲ୍‌ ସର୍ଭିସେସ୍‌ ଏକ୍‌ଜାମିନେଶନ୍‌ (ସିଏସ୍‌ଇ) ବିଜ୍ଞପ୍ତି ଜାରି କରାଯାଇଛି। ଏବର୍ଷ…

ମହାନଦୀ ଜଳ ବିବାଦ: ଓଡ଼ିଶା ଚାହୁଁଛି କେନ୍ଦ୍ର ମଧ୍ୟସ୍ଥତା

ଭୁବନେଶ୍ୱର,୫ା୨(ରବିନାରାୟଣ ଜେନା):ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଏହା ଟ୍ରିବ୍ୟୁନାଲ ମାଧ୍ୟମରେ ସମାଧାନ ହେବା ସମୟସାପେକ୍ଷ। ତେଣୁ ମଧ୍ୟସ୍ଥ ଜରିଆରେ…

ଖେମ୍‌ଚନ୍ଦ ସିଂ ମଣିପୁର ମୁଖ୍ୟମନ୍ତ୍ରୀ

ଇମ୍ଫାଲ,୫।୨: ମଣିପୁରରେ ଜାରି ହୋଇଥିବା ରାଷ୍ଟ୍ରପତି ଶାସନ ବୁଧବାର ହଟିବା ପରେ ଭାଜପା ନେତୃତ୍ୱାଧୀନ ମେଣ୍ଟ ନେତା ୟୁମନାମ୍‌ ଖେମ୍‌ଚାନ୍ଦ ସିଂ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି…

ଜୀବନ ରକ୍ଷା କରିବ ‘ହାର୍ଟଗାର୍ଡ’ ମାସ୍କ, ହୃଦଘାତ ପୂର୍ବରୁ ବାଜିବ ଆଲାର୍ମ

କଟକ,୫।୨(କୁମାରଶ୍ରୀ): ମୁହଁରେ ବନ୍ଧା ଯାଇଥିବା ମାସ୍କ ଜୀବନ ରକ୍ଷା କରିପାରିବ। ସମ୍ପୃକ୍ତ ବ୍ୟକ୍ତିଙ୍କ ହୃଦ୍‌ଘାତ ହେବା ପୂର୍ବରୁ ବାଜିବ ଆଲାର୍ମ। ଶାରୀରିକ ଅସୁସ୍ଥତାକୁ ସୂଚାଇ ମାସ୍କ ଜରିଆରେ…

୨୪ ବର୍ଷ ଦେଶସେବା କରି ଘରକୁ ଫେରିଲେ ଯବାନ: ବାଜବାଣ, ନାଚଗୀତରେ ଦୁଲୁକିଲା ଦାଣ୍ଡ

କେନ୍ଦୁଝର,୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୪ ବର୍ଷ ଧରି ଦେଶସେବା କରି ଅବସର ପରେ ଗାଁକୁ ଫେରିଲେ ଯବାନ। ଏଥିପାଇଁ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।…

ଦାରିଙ୍ଗବାଡ଼ିରେ କାୟାକଳ୍ପର ୩ ଜଣିଆ ଟିମ୍‌, ଅବ୍ୟବସ୍ଥା ଦେଖି…

ଦାରିଙ୍ଗବାଡ଼ି,୪ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବୁଧବାର ୩ ଜଣିଆ କାୟାକଳ୍ପ ଦଳ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ଡାକ୍ତର ଶୁଭ୍ରାଂଶୁ ପ୍ରଧାନ, ମାନସ କୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri