ଦୃଷ୍ଟିହୀନ ସ୍ବାମୀଙ୍କୁ ଧରି ଭିକ ମାଗୁଛନ୍ତି ଚନ୍ଦ୍ରମଣି

ଖଇରା,୬।୧୦(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅମରିଆ ଗ୍ରାମର ଚନ୍ଦ୍ରମଣି ମୁଖୀଙ୍କ ଗୋଟିଏ ପରେ ଗୋଟିଏ ଦୁଃଖ ଭୋକ ଶୋଷ ଛଡାଇନେଇଛି। ସେହି ଦୁଃଖକୁ ଏବେ ସେ କାନ୍ଧ ଗାମୁଛା କରି ୪ ପେଟ ପାଇଁ ଦାନା, ଦୃଷ୍ଟିହୀନ ସ୍ବାମୀଙ୍କ ଚିକିତ୍ସା ଖର୍ଚ୍ଚ ଯୋଗାଡରେ ଭିକ୍ଷା ଥାଳ ଧରି ଗାଁ ଗାଁ ବୁଲୁଛନ୍ତି। ଏଭଳି ପରିସ୍ଥିତିରେ କୌଣସି ବଦାନ୍ୟ ବ୍ୟକ୍ତି ଓ ସ୍ବେଚ୍ଛାସେବୀ ସଙ୍ଗଠନ ତାଙ୍କୁ ସହାୟତା କରିବାକୁ ଆକୁଳ ବିନୀତି କରିଛନ୍ତି। ପ୍ରଥମେ ସ୍ବାମୀ ନରେନ୍ଦ୍ର ମୁଖିଙ୍କର ଆଖି ଖରାପ ହୋଇଥିଲା। ଧୀରେ ଧୀରେ ଅଧିକ ଖରାପ ହେବାରୁ ଭୂମିକା ଚକ୍ଷୁ ଚିକିତ୍ସାଳୟକୁ ଗଲେ। ହେଲେ ଡାକ୍ତର ଆଉ ବିନା ଅସ୍ତ୍ରୋପଚାରରେ ଭଲ ହେବ ନାହିଁ ବୋଲି କହିଥିଲେ। ଏତିକିବେଳେ ପୁଅ ଲକ୍ଷ୍ମୀଧର ଧାନପିଟା ଥ୍ରେସର ମେଶିନରେ କାମ କରୁଥିବା ବେଳେ ଡାହାଣ ହାତଟି ପଶିଯିବାରୁ ତାହା ଭାଙ୍ଗିଗଲା। ଏଇଠି ମଧ୍ୟ ଦୁଃଖ ସରି ନ ଥିଲା। ଦଶମ ଶ୍ରେଣୀରେ ପଢୁଥିବା ଝିଅ ପ୍ରତିମା ଖରାପ ରାସ୍ତାରେ ସାଇକେଲରୁ ପଡିଯିବାରୁ ଗୋଡ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିଲା। ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇପାରିଲାନି। ଝିଅପୁଅ ଏକପ୍ରକାର ଅକର୍ମଣ୍ୟ ହୋଇ ଘରେ ପଡିରହିଛନ୍ତି। ଯଦିଓ ବିଜୁ ସ୍ବାସ୍ଥ୍ୟକାର୍ଡରେ ସ୍ବାମୀଙ୍କ ଆଖିରେ ଅସ୍ତ୍ରୋପଚାର ହୋଇପାରିବ ବୋଲି ଡାକ୍ତର କହୁଥିଲେ ହେଁ କଟକ କି ଭୁବନେଶ୍ୱର ଯିବା, ରହିବା ଓ ଔଷଧ କିଣା ଖର୍ଚ୍ଚ ଭରଣ କରିବା କଷ୍ଟସାଧ୍ୟ ହୋଇପଡୁଛି। ଏଣୁ ଖର୍ଚ୍ଚ ଯୋଗାଡ ପାଇଁ ଓ ସନ୍ତାନଙ୍କ ପେଟକୁ ଦାନା ପାଇଁ ସେ ଘରକୁ ଯାଇ ଅବସ୍ଥା ବିଷୟରେ କହୁଥିବା ନେଇ ଚନ୍ଦ୍ରମଣି କହିଛନ୍ତି।