ଧୂଷୁରୀ, ୭।୭( ଦୀପ୍ତି ରଞ୍ଜନ ନାୟକ ) : ଧୂଷୁରୀ ଥାନା ଅଧୀନ ମଠଡିହ ବଜାରରେ ମଙ୍ଗଳବାର ପୂର୍ବାହ୍ନରେ ନିକଟସ୍ଥ ସାଠିବାଙ୍କୁଡା ଗ୍ରାମର ମହିଳା,ପୁରୁଷ,ଯୁବତୀ, ଯୁବକ ପ୍ଲାଏ କାର୍ଡ ଧରି ଏକ ହତ୍ୟାକାଣ୍ଡର ନ୍ୟାୟ ଦାବିରେ ଆଖଣ୍ଡଳମଣି – ଭଦ୍ରକ ରାସ୍ତା ଅବରୋଧ କରିଛନ୍ତି । ମୃତ ଚନ୍ଦ୍ରକାନ୍ତ ପରିବାରକୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରାଯିବ ବୋଲି ଗ୍ରାମର ଲୋକମାନେ କହିଛନ୍ତି । ଘଟଣାସ୍ଥଳରେ ଧୂଷୁରୀ ଓ ଆରଡି ପୋଲିସ ଉପସ୍ଥିତ ଅଛନ୍ତି । ସୂଚନା ଯୋଗ୍ୟ ଗତମାସ ୧୭ ତାରିଖରେ ଚନ୍ଦ୍ରକାନ୍ତ ମହାକୁଳ ( ୨୮ ) ନାମକ ଜଣେ ଯୁବକର ଝୁଲନ୍ତା ଶବ ଏନ.ଏଚ.୨୦ ରାସ୍ତା ପାଶର୍ବରେ ଥିବା ସତ୍ୟଜିତ ପଲାଇ ନାମକ ଜଣେ ବ୍ୟକ୍ତିଙ୍କ ବାଡିପଟେ ଝୁଲୁଥିବା ଦେଖିବାକୁ ମିଳିଥିଲା । ଏହାର ୭ ଦିନ ପରେ ଚନ୍ଦ୍ରକାନ୍ତଙ୍କୁ ସେହି ଗ୍ରାମର ୩ ଜଣ ହତ୍ୟା କରିଥିବା ଦର୍ଶାଇ ମୃତକଙ୍କ ପରିବାର ପକ୍ଷରୁ ଆରଡି ଫାଣ୍ଡିରେ ଏତାଲା ଦିଆଯାଇଥିଲା । ଧୂଷୁରୀ ଥାନାଧିକାରୀ, ଧାମନଗର ଏସଡିପିଓ, ଭଦ୍ରକ ଏସପି ଏହାର ତଦନ୍ତ କରିଥିଲେ । ତଦନ୍ତ ରିପୋର୍ଟ ତ୍ରୁଟି ଥିବା ଦର୍ଶାଇ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଚାପରେ ପୋଲିସ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରୁନଥିବା କହି ଏହି ରାସ୍ତାରୋକୋ କରାଯାଇଛି ।