Categories: ଜାତୀୟ

ନନ୍ଦିଗ୍ରାମରେ ଚଣ୍ଡୀପାଠ

କୋଲକାତା,୧୦ା୩: ମୁଁ ମଧ୍ୟ ଜଣେ ହିନ୍ଦୁ। ମୁଁ ପ୍ରତିଦିନ ଚଣ୍ଡୀପାଠ କରେ ବୋଲି ମଙ୍ଗଳବାର ଭାଜପାକୁ ବିଭାଜନବାଦୀ ରାଜନୀତି ନ କରିବାକୁ ଚେତାବନୀ ଦେଇଛନ୍ତି ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ମମତା ବାନାର୍ଜୀ। ୭୦-୩୦ ଅନୁପାତ କଥା କହୁଥିବା ଲୋକେ ପବିତ୍ର ନନ୍ଦିଗ୍ରାମ ଆନ୍ଦୋଳନକୁ ଅପମାନିତ କରିଛନ୍ତି। କାରଣ ଏହି ଆନ୍ଦୋଳନକୁ ଉଭୟ ସମ୍ପ୍ରଦାୟର ଲୋକେ ମିଳିତ ଭାବେ ଲଢ଼ିଥିଲେ ବୋଲି ମମତା କହିଛନ୍ତି।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ‘ମିଶନ ନନ୍ଦିଗ୍ରାମ’ ଆରମ୍ଭ କରିଛନ୍ତି। ବୁଧବାର ହଳଦିଆରେ ନାମାଙ୍କନପତ୍ର ଦାଖଲ କରିବାର ଦିନକ ପୂର୍ବରୁ ନନ୍ଦିଗ୍ରାମରେ ଟିଏମ୍‌ସି କର୍ମୀଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ମୁଁ ମଧ୍ୟ ହିନ୍ଦୁ ପରିବାରର ଝିଅ। ମୋ ସହିତ ଭାଜପା ହିନ୍ଦୁ କାର୍ଡ ନ ଖେଳୁ। ଜଣେ ଭଲ ହିନ୍ଦୁ ହେବା ପାଇଁ କ’ଣ ଦରକାର ସେମାନେ ଜାଣିଛନ୍ତି କି? ହିନ୍ଦୁଧର୍ମ ସବୁ ସମ୍ପ୍ରଦାୟକୁ ସମ୍ମାନ ଦେବା ଶିଖାଏ। ଭାଜପା ବାରମ୍ବାର ୭୦-୩୦ ଅନୁପାତ କଥା କହୁଛି। କିନ୍ତୁ ଏଠାରେ ବିଭାଜନବାଦୀ ରାଜନୀତି ଚାଲିବ ନାହିଁ। ଘରୁ ପଦାକୁ ବାହାରିବା ପୂର୍ବରୁ ମୁଁ ଚଣ୍ଡୀପାଠ କରିଥାଏ ବୋଲି ମମତା କଡ଼ା ଜବାବ ଦେଇଛନ୍ତି।
ସହଯୋଗୀ ତଥା ବର୍ତ୍ତମାନର ଭାଜପା ନେତା ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ନନ୍ଦିଗ୍ରାମରୁ ପ୍ରତିଦ୍ୱନ୍ଦ୍ୱିତା ନେଇ ଘୋଷଣା କରିବା ପରେ ଏହା ହେଉଛି ମମତାଙ୍କ ପ୍ରଥମ କର୍ମୀ ସମ୍ମିଳନୀ। ଟିଏମ୍‌ସି କ୍ୟାଡରମାନଙ୍କୁ ସମ୍ବୋଧନ ବେଳେ ମମତା ଚଣ୍ଡୀପାଠର ଶ୍ଳୋକ ଆବୃତ୍ତି କରିଥିଲେ। ତାଙ୍କ ସରକାର ସଂଖ୍ୟାଲଘୁଙ୍କ ତୁଷ୍ଟୀକରଣରେ ଲାଗିଛି ବୋଲି ଭାଜପା ଅଭିଯୋଗ ଆଣୁଥିବାବେଳେ ହିନ୍ଦୁ ଭୋଟରଙ୍କୁ ସନ୍ତୁଷ୍ଟ କରିବା ପାଇଁ ମମତା ଏପରି କରିଥିବା କୁହାଯାଉଛି। ପଶ୍ଚିମବଙ୍ଗର ୨୯୪ ଆସନ ପାଇଁ ମାର୍ଚ୍ଚ ୨୭ରୁ ଏପ୍ରିଲ ୨୯ ମଧ୍ୟରେ ୮ ପର୍ଯ୍ୟାୟରେ ନିର୍ବାଚନ ହେବ। ରାଜ୍ୟର ମୋଟ ଜନସଂଖ୍ୟାର ୩୦% ସଂଖ୍ୟାଲଘୁ ହୋଇଥିବାବେଳେ ନନ୍ଦିଗ୍ରାମରେ ମୁସଲିମ୍‌ ଭୋଟରଙ୍କ ସଂଖ୍ୟା ୪୦%।

Share