Categories: ଜାତୀୟ

ପରଲୋକରେ ଚନ୍ଦନ ମିତ୍ର, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨।୯: ରାଜ୍ୟ ସଭାର ପୂର୍ବତନ ଏମ୍‌ପି ତଥା ଗଣମାଧ୍ୟମ ପ୍ରତିନିଧି ଚନ୍ଦନ ମିତ୍ରଙ୍କର ବୁଧବାର ବିଳମ୍ବିତ ରାତିରେ ରାଜଧାନୀ ଦିଲ୍ଲୀରେ ପରଲୋକ ଘଟିଛି। ତାଙ୍କ ପୁଅ କୁଶନ ମିତ୍ର ଏ ବିଷୟରେ ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କ ୬୫ ବର୍ଷ ହୋଇଥିଲା। ସେ ପିୟୋନିୟର ସମ୍ପାଦକ ଥିଲେ। ଚନ୍ଦନ ମିତ୍ର ଭାଜପା କୋଟାରୁ ରାଜ୍ୟସଭାରେ ପହଞ୍ଚିଥିଲେ। କିନ୍ତୁ ୨୦୧୮ରେ ସେ ଭାଜପା ଛାଡି ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ। ବହୁ ନେତା ଚନ୍ଦନ ମିତ୍ରଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଶ୍ରୀ ଚନ୍ଦନ ମିତ୍ରଙ୍କୁ ତାଙ୍କର ଜ୍ଞାନ ଏବଂ ବୁଦ୍ଧି ପାଇଁ ସ୍ମରଣ କରାଯିବ। ସେ ଗଣମାଧ୍ୟମରେ ତଥା ରାଜନୀତି ଜଗତରେ ନିଜର ପରିଚୟ ସୃଷ୍ଟି କରିଥିଲେ। ତାଙ୍କ ମୃତ୍ୟୁରେ ମୁଁ ଆଘାତ ପାଇଛି। ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ସମବେଦନା ଜ୍ଞାପନ କରୁଛି।

ଭାଜପା ନେତା ତଥା ରାଜ୍ୟ ସଭା ଏମ୍‌ପି ସ୍ବପନ ଦାସଗୁପ୍ତା ଚନ୍ଦନ ମିତ୍ରଙ୍କ ସହ ଏକ ନିଜର ଏକ ଫଟୋ ଟୁଇଟରରେ ଅପଲୋଡ୍‌ କରି ଲେଖିଛନ୍ତି ଯେ ମୁଁ ୧୯୭୨ରେ ଏକ ସ୍କୁଲ ସମୟର ଫଟୋ ପୋଷ୍ଟ କରୁଛି। ତୁମେ ଯେଉଁଠାରେ ଥାଅ ମୋର ପ୍ରିୟ ବନ୍ଧୁ ଖୁସିରେ ରୁହ। ଅନ୍ୟ ଏକ ଟୁଇଟ୍‌ରେ ସେ କହିଛନ୍ତି ଯେ ମୁଁ ଆଜି ମୋର ନିକଟତମ ବନ୍ଧୁ, ପାୟୋନିୟର ସମ୍ପାଦକ ତଥା ପୂର୍ବତନ ଏମ୍‌ପି ଚନ୍ଦନ ମିତ୍ରଙ୍କୁ ହରାଇଲି। ଆମେ ଲା ମାର୍ଟିନେରେ ଛାତ୍ର ଭାବରେ ଏକାଠି ହୋଇ ସେଣ୍ଟ ଷ୍ଟିଫେନ୍ସ ଏବଂ ଅକ୍ସଫୋର୍ଡକୁ ପଢ଼ିବାକୁ ଯାଇଥିଲୁ। ଆମେ ଏକାସାଙ୍ଗରେ ସାମ୍ବାଦିକତାରେ ଯୋଗ ଦେଇଥିଲୁ। ଚନ୍ଦନ ମିତ୍ର ପାୟୋନିୟର ଖବରକାଗଜର ସମ୍ପାଦକ ଥିଲେ। ସେ ୨୦୦୩ ରୁ ୨୦୦୯ ପର୍ଯ୍ୟନ୍ତ ରାଜ୍ୟ ସଭାର ମନୋନୀତ ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ। ସେ ୨୦୧୦ ରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ। ୧୯୫୫ ଡିସେମ୍ବର ୧୨ରେ ସେ ହାଓ୍ବାଡାରେ ଜନ୍ମଗ୍ରହଣ କରିଥିଲେ।

Share