ଥୁଆମୂଳ ରାମପୁର, ୨୮ା୫ (ଦୁର୍ଗା କୀର୍ତ୍ତି): ଭବାନୀପାଟଣାଠାରେ ପ୍ରତିଷ୍ଠିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ନାତକୋତ୍ତର ପରୀକ୍ଷା ଫଳର ମେଧା ତାଲିକା ଗୁରୁବାର ପରୀକ୍ଷା ନିୟନ୍ତ୍ରକଙ୍କ ସ୍ବାକ୍ଷରରେ ପ୍ରକାଶ ପାଇଛି।
ଏଥିରେ ଥୁଆମୂଳ ରାମପୁର ସଦର ସ୍କୁଲ ପଡ଼ାର ଚନ୍ଦନ ଜାଲ ସମାଜଶାସ୍ତ୍ର ବିଭାଗରେ ସର୍ବୋଚ୍ଚ ୦୮.୬୭ ସିଜିପିଏ ନମ୍ବର ରଖି ବିଶ୍ୱବିଦ୍ୟାଳୟର ପ୍ରଥମ ସ୍ଥାନ ଅଧିକାର କରିବା ସହ ଟପ୍ପର ହେବାର ଗୌରବ ଅର୍ଜନ କରିଛନ୍ତି।
ଲଛମା ଜାଲ ଓ ବାଳକୃଷ୍ଣ ଜାଲଙ୍କ ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ଚନ୍ଦନ। ପ୍ରକାଶିତ ଫଳାଫଳ ଅନୁଯାୟୀ, ଚନ୍ଦନ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ସହ ୧୬ ଜଣ ପିଲାଙ୍କ ମଧ୍ୟରେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ଏହା ପୂର୍ବରୁ ସେ କଳାହାଣ୍ଡି ବିଶ୍ୱବିଦ୍ୟାଳୟର ଏମ୍ଏସ୍ଡ଼ବ୍ଲ୍ୟୁ ବିଭାଗରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରି ଟପ୍ପର ହୋଇଥିଲେ। ଚନ୍ଦନଙ୍କର ଏହି କୃତିତ୍ୱ ପରେ ଖୁସିର ଲହରି ଖେଳିଯାଇଛି। ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।