ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜିବି ମାନବ ସମାଜକୁ ମାର୍ଗଦର୍ଶନ ଦେଇ ଆସୁଛି। ରାଜନୀତି ହେଉ କିମ୍ବା ବ୍ୟକ୍ତିଗତ ଜୀବନ, ଚାଣକ୍ୟଙ୍କ ରଣକୌଶଳ ସବୁଠାରେ ପ୍ରାସଙ୍ଗିକ। ଚାଣକ୍ୟଙ୍କ ମତରେ, ପ୍ରତ୍ୟେକ ଯୁଦ୍ଧ କେବଳ ଖଣ୍ଡା ବା ଅସ୍ତ୍ର ଦ୍ୱାରା ଜିତିହୁଏ ନାହିଁ। ଅନେକ ସମୟରେ ବୁଦ୍ଧି, ଧୌର୍ଯ୍ୟ ଏବଂ ସଫଳତା ଶତ୍ରୁକୁ ପରାସ୍ତ କରିବାର ସବୁଠାରୁ ବଡ଼ ହତିଆର ସାଜିଥାଏ।
ଚାଣକ୍ୟଙ୍କ ଅନୁସାରେ, ସବୁଠାରୁ ବଡ଼ ବିଜୟ ହେଉଛି ସେଇଟା, ଯେଉଁଠାରେ ବିନା କ୍ରୋଧ ଏବଂ ବିନା ସଂଘର୍ଷରେ ସାମ୍ନା ଲୋକକୁ ନିଜ ଭୁଲ୍ର ଅନୁଭବ କରାଇ ଦିଆଯାଏ। ଯଦି କେହି ଆପଣଙ୍କର ଖରାପ ଚାହୁଁଛନ୍ତି, ତେବେ ତାଙ୍କୁ ଘୃଣା ନକରି ନିଜର ଉନ୍ନତି ଓ ପ୍ରଗତି ଦ୍ୱାରା ଜବାବ ଦିଅନ୍ତୁ। ଯେତେବେଳେ ଆପଣ ଜୀବନରେ ସଫଳ ହୁଅନ୍ତି ଏବଂ ମାନସିକ ସ୍ତରରେ ଶକ୍ତିଶାଳୀ ହୁଅନ୍ତି, ସେଇଟା ହିଁ ଶତ୍ରୁ ପାଇଁ ସବୁଠାରୁ ବଡ଼ ଦଣ୍ଡ ହୋଇଥାଏ।
ଚାଣକ୍ୟ କୁହନ୍ତି ଯେ ଶତ୍ରୁର ସବୁଠାରୁ ବଡ଼ ଦୁର୍ବଳତା ହେଉଛି ତାର ଅହଂକାର। ତେଣୁ କ୍ରୋଧରେ ଆସି ତୁରନ୍ତ କୌଣସି ପ୍ରତିକ୍ରିୟା ଦେବା ଅନୁଚିତ। ଶାନ୍ତ ରହି ସଠିକ ସମୟକୁ ଅପେକ୍ଷା କରିବା ହିଁ ବୁଦ୍ଧିମାନର କାମ। ଯେଉଁ ବ୍ୟକ୍ତି ନିଜର ଆବେଗ ଓ ଭାବନାକୁ ନିୟନ୍ତ୍ରଣ କରିପାରେ, ସେ ହିଁ ପ୍ରକୃତ ବିଜେତା।
ଶତ୍ରୁକୁ ହରାଇବା ପାଇଁ ତାର ପ୍ରତିଟି ଗୋଟି ଚାଳନାକୁ ବୁଝିବା ଜରୁରୀ, କିନ୍ତୁ ନିଜର ଯୋଜନାକୁ ସବୁବେଳେ ଗୁପ୍ତ ରଖିବା ଆବଶ୍ୟକ। ବୁଦ୍ଧିମାନ ବ୍ୟକ୍ତି କମ କଥା କୁହନ୍ତି ଏବଂ ନିଜ କର୍ମ ଦ୍ୱାରା ଜବାବ ଦିଅନ୍ତି। ଅଯଥା କଳିଝଗଡ଼ାରୁ ଦୂରେଇ ରହି ନିଜ ଲକ୍ଷ୍ୟ ପଥରେ ଆଗେଇ ଚାଲିଲେ ଶତ୍ରୁ ଆପେ ଆପେ ପରାଜିତ ହୁଏ।
ଚାଣକ୍ୟ ନୀତି ଶିଖାଏ ଯେ, ଯଦି କେହି ବାରମ୍ବାର ଆପଣଙ୍କୁ ଅପମାନିତ କରୁଛି କିମ୍ବା କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଛି, ତେବେ ତାଙ୍କଠାରୁ ଦୂରତା ବଜାୟ ରଖିବା ହିଁ ସବୁଠାରୁ ଭଲ ଉପାୟ। ପ୍ରତ୍ୟେକ ଯୁଦ୍ଧ ଲଢ଼ିବା ଜରୁରୀ ନୁହେଁ। ନିଜକୁ ନକାରାତ୍ମକ ଲୋକଙ୍କଠାରୁ ଦୂରେଇ ରଖିବା ମଧ୍ୟ ଏକ ବଡ଼ ବିଜୟ।
ମୋଟାମୋଟି କହିବାକୁ ଗଲେ ଆଚାର୍ଯ୍ୟ ଚାଣକ୍ୟଙ୍କ ବିଚାର ଆଜି ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ନିଜକୁ ଏତେ ଶକ୍ତିଶାଳୀ ଏବଂ ସଫଳ କରନ୍ତୁ ଯେ ସାମ୍ନା ଲୋକ ଆପଣଙ୍କ ଉନ୍ନତି ଦେଖି ନିଜେ ନିଜେ ହାର୍ ମାନିବାକୁ ବାଧ୍ୟ ହେବ।
Dharitri – Odisha’s No.1 Odia Daily