ମଣିଷ ଜୀବନରେ ଏମିତି ଅନେକ ପରିସ୍ଥିତି ଆସିଥାଏ, ଯାହା ଯୋଗୁଁ ତାକୁ ନିରାଶ ଏବଂ ହତାଶ ହେବାକୁ ପଡ଼ିଥାଏ। ଜୀବନର ଏହି କଠିନ ସମୟ ଏବଂ ସମସ୍ୟା ଦେଇ ଗତି କରୁଥିବା ବେଳେ ୫ଟି କଥା ବ୍ୟକ୍ତିକୁ ଆହୁରି ଅଧିକ ଦୁର୍ୱଳ କରିଦିଏ। ଏହି କାରଣଗୁଡ଼ିକ ଯୋଗୁଁ ମଣିଷ ଭିତରୁ ସମ୍ପୂର୍ଣ୍ଣ ଭାଙ୍ଗିପଡ଼େ। ଆସନ୍ତୁ ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଜାଣିବା ସେହି ୫ଟି କଥା ବିଷୟରେ, ଯାହା ମଣିଷକୁ ମାନସିକ ଓ ଆତ୍ମିକ ସ୍ତରରେ ଦୁର୍ୱଳ କରିଦିଏ।
ଋଣ କିମ୍ୱା କରଜର ବୋଝ
କଠିନ ପରିସ୍ଥିତିରେ ଥିବା ବ୍ୟକ୍ତି ଋଣ (କରଜ) ଯୋଗୁଁ ଅଧିକ ଚିନ୍ତାରେ ରହେ। କରଜ ବ୍ୟକ୍ତିକୁ ମାନସିକ ଭାବେ ଦୁର୍ୱଳ କରିଦିଏ। ଟଙ୍କା ପରିଶୋଧ କରିବାର ଚିନ୍ତା ସଦାସର୍ୱଦା ତା’ର ଶାନ୍ତି ହରାଇଦିଏ। ଏହି କାରଣରୁ ମାନସିକ ଶାନ୍ତି ଭଙ୍ଗ ହୋଇଥାଏ। ତେଣୁ ଋଣ ସୁଝିବା ପାଇଁ ଅଧିକ ଆୟ କରିବା ଏବଂ କମ ଖର୍ଚ୍ଚ କରିବା ଉପରେ ଧ୍ୟାନ ଦେବା ଉଚିତ।
ଅପମାନିତ ହେବା
ଯଦି କୌଣସି ବ୍ୟକ୍ତି ଜୀବନରେ ଆଗରୁ ସମସ୍ୟାରେ ଅଛି ଏବଂ ସେହି ସମୟରେ କୌଣସି ନିଜର ଲୋକ ତାକୁ ଅପମାନିତ କରେ, ତେବେ ସେହି ମଣିଷ ଭିତରୁ ଭାଙ୍ଗିପଡ଼େ। ଆପଣାର ଲୋକଙ୍କ ଦ୍ୱାରା ଅପମାନିତ ହେବା ଏବଂ କଟୁକଥା ଶୁଣିବା ଦ୍ୱାରା ମନ ଅତ୍ୟନ୍ତ ଦୁଃଖୀ ହୋଇଥାଏ। ତେଣୁ ଅହଂକାରୀ ଏବଂ ଘମଣ୍ଡୀ ଆତ୍ମୀୟସୱଜନଙ୍କଠାରୁ ଦୂରେଇ ରହିବା ଶ୍ରେୟସ୍କର।
ଖରାପ ସଙ୍ଗତ
ଖରାପ ଲୋକଙ୍କ ସାଙ୍ଗରେ ରହିବା ଦ୍ୱାରା ମଣିଷର ଜୀବନ ବର୍ୱାଦ ହୋଇଯାଏ। ଏହା ଜୀବନ ଉପରେ ନକାରାତ୍ମକ ପ୍ରଭାବ ପକାଏ। ଖରାପ ସଙ୍ଗତ ଏବଂ ଜୀବନର ସମସ୍ୟା ବ୍ୟକ୍ତିକୁ ଅଧିକ ଦୁର୍ୱଳ କରିଦିଏ। ଏଣୁ ଆପଣ ସମାଜରେ କେଉଁ ପ୍ରକାର ଲୋକଙ୍କ ସହ ରହୁଛନ୍ତି, ସେଥିପ୍ରତି ଧ୍ୟାନ ଦେବା ଜରୁରୀ। ନକାରାତ୍ମକ ଭାବନା ରଖୁଥିବା ଏବଂ ଅନ୍ୟର ଖରାପ ଚାହୁଁଥିବା ଲୋକଙ୍କଠାରୁ ସଦାସର୍ୱଦା ଦୂରରେ ରୁହନ୍ତୁ।
ଦାରିଦ୍ର୍ୟ ଏବଂ ଆର୍ଥିକ ଅନାଟନ
ଜୀବନରେ ଅର୍ଥାଭାବ ଯୋଗୁଁ ମଣିଷ ସବୁବେଳେ ଚିନ୍ତିତ ରହେ। ଆର୍ଥିକ ଅନାଟନ ଏବଂ ଗରିବି ବ୍ୟକ୍ତିକୁ ଦୁର୍ୱଳ କରିଦିଏ, ଯାହା ଫଳରେ ତାକୁ ଅଧିକ ସଂଘର୍ଷ କରିବାକୁ ପଡ଼ିଥାଏ। ଏପରି ପରିସ୍ଥିତିରେ ନିଜର ଖର୍ଚ୍ଚ କମ କରିବା ଅତ୍ୟନ୍ତ ଆବଶ୍ୟକ, ନଚେତ ଆର୍ଥିକ ସଙ୍କଟ ଯୋଗୁଁ ପ୍ରବଳ ମାନସିକ ତ୍ରାସ ସୃଷ୍ଟି ହୋଇପାରେ।
ନିଜ ଲୋକଙ୍କଠାରୁ ବିଚ୍ଛେଦ
ଯଦି କୌଣସି ବ୍ୟକ୍ତି କୌଣସି କାରଣରୁ ନିଜର ପ୍ରିୟଜନଙ୍କଠାରୁ ଦୂରେଇ ଯାଏ, ତେବେ ସେ ଜୀବନରେ ଅତ୍ୟନ୍ତ ଏକାକୀ ଅନୁଭବ କରେ। ପ୍ରିୟଜନଙ୍କ ବିଚ୍ଛେଦ ଯୋଗୁଁ ଜଣେ ସାହସୀ ମଣିଷ ମଧ୍ୟ ଭିତରୁ ଦୁର୍ୱଳ ହୋଇପଡ଼େ। କଠିନ ସମୟରେ ପରିବାରଠାରୁ ଦୂରରେ ରହିବା ବ୍ୟକ୍ତିର ମନୋବଳକୁ ଭାଙ୍ଗିଦିଏ।