Categories: ଜାତୀୟ

ସୋସିଆଲ ମିଡ଼ିଆରେ ମିଥ୍ୟା ଖବର ଚିହ୍ନଟ ପାଇଁ ସଂଶୋଧିତ ଆଇଟି ନିୟମକୁ ଚ୍ୟାଲେଞ୍ଜ: କେନ୍ଦ୍ରକୁ ହାଇକୋର୍ଟଙ୍କ ଜବାବ ତଲବ…

ମୁମ୍ବାଇ,୧୧।୪ : ସୋସିଆଲ ମିଡିଆରେ ମିଥ୍ୟା ଖବର ଚିହ୍ନଟ ପାଇଁ ଆଇଟି ନିୟମରେ କେନ୍ଦ୍ର ସରକାର କରିଥିବା ସଂଶୋଧନକୁ ବମ୍ବେ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ହାସ୍ୟ ଅଭିନେତା କୁନାଲ କାମରାଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନର ଶୁଣାଣି ବେଳେ ହାଇକୋର୍ଟ ଏହି ମାମଲାରେ ଏକ ସତ୍ୟପାଠ ଦାଖଲ କରିବାକୁ କେନ୍ଦ୍ରକୁ କହିଛନ୍ତି।

ଜଷ୍ଟିସ ଗୌତମ ପଟେଲ ଏବଂ ଜଷ୍ଟିସ ନୀଲା ଗୋଖଲେଙ୍କ ନେତୃତ୍ୱରେ ଗଠିତ ଏକ ବେଞ୍ଚ କହିଛନ୍ତି ଯେ ଆଇଟି ନିୟମକୁ କାହିଁକି ସଂଶୋଧନ କରିବା ଆବଶ୍ୟକ ତାହା ସରକାର ସତ୍ୟପାଠରେ ସ୍ପଷ୍ଟ କରିବା ଉଚିତ। ଏପ୍ରିଲ ୧୯ ପର୍ଯ୍ୟନ୍ତ କେନ୍ଦ୍ରକୁ ଏକ ସତ୍ୟପାଠ ଦାଖଲ କରିବାକୁ ସମୟ ଦେଇ କୋର୍ଟ ଏହି ସଂଶୋଧନ ପଛରେ କୌଣସି ପ୍ରକୃତ ପୃଷ୍ଠଭୂମି କିମ୍ବା କାରଣ ଅଛି କି ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ଏହି ସଂଶୋଧନ ଯୋଗୁ ଆବେଦନକାରୀ ଏକ ପ୍ରକାର ପ୍ରଭାବ ଆଶା କରୁଛନ୍ତି। ଏପ୍ରିଲ ୨୧ ରେ ଏହାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି।

ଏହି ଆବେଦନରେ କାମରା ନିଜକୁ ଜଣେ ରାଜନୈତିକ ବ୍ୟଙ୍ଗାତ୍ମକ ବ୍ୟକ୍ତି ଭାବରେ ବର୍ଣ୍ଣନା କରିଛନ୍ତି । ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ନତିର୍ଭର କରନ୍ତି ଏବଂ ତାଙ୍କ ବିଷୟବସ୍ତୁ ଶେୟାର କରିଥାନ୍ତି। କାମରାଙ୍କ ଅନୁଯାୟୀ, ସଂଶୋଧିତ ନିୟମଗୁଡିକ ତାଙ୍କ ବିଷୟବସ୍ତୁକୁ ଅବାଧ ଭାବରେ ଅବରୋଧ କରିପାରେ କିମ୍ବା ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟକୁ ବାତିଲ କିମ୍ବା ନିଷ୍କ୍ରିୟ କରିପାରେ, ଯାହାଦ୍ୱାରା ତାଙ୍କୁ ବୃତ୍ତିଗତ ଭାବରେ କ୍ଷତି ପହଞ୍ଚିବାର ଆଶଙ୍କା ରହିଛି।
ଏହି ଆବେଦନରେ କାମରା ସଂଶୋଧିତ ନିୟମକୁ ଅସାମ୍ବିଧାନିକ ଘୋଷଣା କରିବାକୁ ଏବଂ ଏହି ସଂଶୋଧିତ ନିୟମ ଅନୁଯାୟୀ କୌଣସି ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି।

Share