ଚକାଜାମ କଲା ମୋଟର ଚାଳକ ସଂଘ: ବରଗଡ଼ ୧୨ ଘଣ୍ଟିଆ ବନ୍ଦ ଆନ୍ଦୋଳନ

ବରଗଡ଼ ଅଫିସ,୨୭।୭: ମୋଟର ଚାଳକ(ଡ୍ରାଇଭର)ଙ୍କ ପ୍ରତି ସରକାର ଅଣଦେଖା ମନୋଭାବ ପୋଷଣ କରୁଛନ୍ତି । ଏଭଳି ଅଭିଯୋଗ କରି ୯ଦଫା ଦାବି ନେଇ ମଙ୍ଗଳବାର ଓଡ଼ିଶା ମୋଟର ଚାଳକ ସଂଘ, ବରଗଡ଼ ଜିଲା କମିଟି ୧୨ ଘଣ୍ଟିଆ ବନ୍ଦ ଆନ୍ଦୋଳନକୁ ଓହ୍ଲାଇଛି। ବରଗଡ଼ ସହର ସମେତ ଜିଲାର ବିଭିନ୍ନ ଅଞ୍ଚଳରେ ବନ୍ଦର ପ୍ରଭାବ ପରିଲକ୍ଷିତ ହୋଇଛି। ଦୋକାନ ବଜାର ବନ୍ଦ ଥିବାବେଳେ ବରଗଡ଼ ଗାନ୍ଧୀଛକ ସମେତ ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ବାଇକ ଆଦି ରଖି ଗାଡି ଚଳାଚଳ ବନ୍ଦ କରି ଦିଆଯାଇଛି। ସେହିପରି ପିକେଟିଂ କରି ସରକାରୀ, ବେସରକାରୀ ଅଫିସ ଗୁଡିକୁ ବନ୍ଦ କରି ଦିଆଯାଉଛି। ଚାଳକଙ୍କ ପାଇଁ କଲ୍ୟାଣ ପାଣ୍ଠି ଗଠନ, ଶ୍ରମ ବିଭାଗ ଦ୍ୱାରା ଚାଳକଙ୍କ ପଞ୍ଜିକରଣ, ପେନସନ ବ୍ୟବସ୍ଥା, କରୋନା ଯୋଦ୍ଧା ମାନ୍ୟତା, କରୋନାରେ ମୃତ ଚାଳକଙ୍କୁ ୫୦ଲକ୍ଷ ଟଙ୍କା ପ୍ରଦାନ, କରୋନା କାଳରେ ରୋଜଗାର ହରାଇଥିବା ୧୦ହଜାର ଟଙ୍କା ଲେଖାଏ ପ୍ରଦାନ କରିବାକୁ ଦାବି କରି ଏହି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଓଡ଼ିଶା ମୋଟର ଚାଳକ ସଂଘ ବରଗଡ଼ ଜିଲା କମିଟିର ସଭାପତି ନିରୋଜ ପୋଢ ଯାଦବ, ଉପ ସଭାପତି କୁନୁ ସିଂ, ସଂପାଦକ ଯୋଗେନ୍ଦ୍ର ଭୋଇ, କୋଷାଧ୍ୟକ୍ଷ ଲିଙ୍ଗରାଜ ବାଗ, ବରଗଡ଼ ଟାଉନ ସଭାପତି ଜିତୁ ମହାପାତ୍ର ପ୍ରମୁଖ ଏହାର ନେତୃତ୍ୱ ନେଉଛନ୍ତି। ସକାଳ ୬ଟାରୁ ବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହା ଚାଲିବ ବୋଲି ମୋଟର ଚାଳକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।