ଥୁଆମୂଳ ରାମପୁର, ୨୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପାରମ୍ପରିକ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମା’ ଗଙ୍ଗାଦୀ ଠାକୁରାଣୀଙ୍କ ପ୍ରସିଦ୍ଧ ୮ ଦିନିଆ ଚୈତ୍ର ଯାତ୍ରା ମଙ୍ଗଳବାର ସନ୍ଧ୍ୟାରୁ ଆରମ୍ଭ ହୋଇଛି। ମାତ୍ର ଏହି ଭକ୍ତିମୟ ମହୋତ୍ସବରେ ପୂଜା କମିଟିର ଚରମ ଅବ୍ୟବସ୍ଥା ଦେଖିବାକୁ ମିଳିଛି, ଯାହା ଶ୍ରଦ୍ଧାଳୁଙ୍କୁ ମର୍ମାହତ କରିଛି।
ପବିତ୍ର ଚୈତ୍ର ଶୁକ୍ଳ ପକ୍ଷ ସପ୍ତମୀ ତିଥିରେ ମା’ଙ୍କ ଆଜ୍ଞାମାଳ ବାହାରିବା ପରେ ପାରମ୍ପରିକ ଘଟ ପରିକ୍ରମା ଆରମ୍ଭ ହୋଇଥିଲା। ପରମ୍ପରା ଅନୁଯାୟୀ ମା’ଙ୍କ ଘଟ ସାତୋଟି ପ୍ରମୁଖ ଗୃହ ପରିକ୍ରମା କରିବାର ବିଧି ରହିଛି। ମାତ୍ର ଦୁଃଖର ବିଷୟ ଯେ, ଯାତ୍ରା ମାର୍ଗରେ ଉପଯୁକ୍ତ ଆଲୋକୀକରଣ ବ୍ୟବସ୍ଥା କରାଯାଇ ନାହିଁ। ଫଳରେ ଅନ୍ଧାର ମଧ୍ୟରେ କେବଳ ଏକ ଛୋଟ ହାତ ଲାଇଟ୍ (Torch) ସାହାଯ୍ୟରେ ମା’ଙ୍କ ଘଟ ବୁଲୁଥିବା ଦେଖିବାକୁ ମିଳିଛି। ଜଣେ ଆରାଧ୍ୟ ଦେବୀଙ୍କ ଯାତ୍ରା ସମୟରେ ଏଭଳି ସାମାନ୍ୟ ଆଲୋକର ଅଭାବ ପୂଜା କମିଟିର ପରିଚାଳନା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସୂଚନାଯୋଗ୍ୟ ଯେ, ଏହି ବାର୍ଷିକ ଯାତ୍ରା ପାଇଁ ପୂଜା କମିଟି ପକ୍ଷରୁ ବିଭିନ୍ନ ସୂତ୍ରରୁ ମୋଟା ଅଙ୍କର ଚାନ୍ଦା ସଂଗ୍ରହ କରାଯାଇଛି। ଭକ୍ତମାନେ ମଧ୍ୟ ମା’ଙ୍କ କାର୍ଯ୍ୟ ପାଇଁ ମୁକ୍ତ ହସ୍ତରେ ଦାନ କରୁଛନ୍ତି। ଏତେ ପରିମାଣର ଅର୍ଥ ସଂଗୃହିତ ହେଉଥିଲେ ହେଁ, ଯାତ୍ରା ସମୟରେ ସାମାନ୍ୟ ଆଲୋକ ବ୍ୟବସ୍ଥା ନହେବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। “ସଂଗୃହିତ ଚାନ୍ଦା ଟଙ୍କା କେଉଁ କାର୍ଯ୍ୟରେ ବିନିଯୋଗ ହେଉଛି?” ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।
ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଯାତ୍ରାରେ ପୂଜକ ଡମ୍ବରୁଧର ପୂଜାରୀ, ଭୈରବ କାଳିସୀ ଯୁବକଲାଲ ପରିଚ୍ଛା ଏବଂ ମା’ ମାଣିକେଶ୍ୱରୀଙ୍କ ପୂଜକ ଶରତ ଚନ୍ଦ୍ର ପୂଜାରୀଙ୍କ ଉପସ୍ଥିତିରେ ବିଭିନ୍ନ ନୀତିକାନ୍ତି ଜାରି ରହିଛି। ପାରମ୍ପରିକ ବାଦ୍ୟର ତାଳେ ତାଳେ ଭକ୍ତମାନେ ମା’ଙ୍କୁ ଦର୍ଶନ କରୁଥିବା ବେଳେ, ଆଗାମୀ ଦିନରେ ଅବ୍ୟବସ୍ଥା ସୁଧାରିବା ପାଇଁ ପୂଜା କମିଟି ନିକଟରେ ଜନସାଧାରଣ ଦାବି କରିଛନ୍ତି।

