ଚୈତ୍ର ପ୍ରଥମ ସୋମବାର ଭକ୍ତମୟ ଶୈବପୀଠ

ଭୋଗରାଇ,୨୦ା୩(ଡ଼ି.ଏନ୍‌.ଏ.): ଚୈତ୍ର ମାସ ପ୍ରଥମ ସୋମବାର ଶୈବପୀଠଗୁିଡ଼ିକ ଭକ୍ତମୟ ହୋଇଛି। ଏହି ମାସ ଶିବଙ୍କ ବିବାହ ମାସ ହୋଇଥିବାରୁ ଶିବଙ୍କୁ ଆରାଧନା କଲେ ପୂଣ୍ୟ ଫଳ ମିଳିଥାଏ ବୋଲି ହିନ୍ଦୁଧର୍ମରେ ବିଶ୍ୱାସ ରହିଛି। ପୂର୍ବଭାରତର ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ଓ ଏସିଆର ସର୍ବବୃହତ ଶିବଲିଙ୍ଗ ଭୂଷଣ୍ଡେଶ୍ୱର ମହାଦେବଙ୍କ ସହିତ ପୁରପଲ୍ଲୀରେ ଥିବା ଶତାଧିକ ଶୈବପୀଠରେ ସୋମବାର ପ୍ରତ୍ୟୁଷରୁ ଭକ୍ତଙ୍କ ନାହିଁ ନ ଥିବା ଗହଳି ଲାଗିଛି। ଭକ୍ତମାନେ ପ୍ରଭୁଙ୍କ ଆରଧନା କରିଛନ୍ତି।
ପ୍ରଥମ ସୋମବାର ଯୋଗୁ ହୁଗୁଳି ଗ୍ରାମର କୂଳ ପାଉ ନ ଥିବା ଜଳଜନ୍ତ୍ର ଦେବତା ଚନ୍ଦନେଶ୍ୱର ମହାଦେବଙ୍କଠାରେ ଶତାଧିକ ମାନସିକ ଭକ୍ତ ଅଧିଆ ପଡିଥିବା ବେଳେ ପଶ୍ଚିମବଙ୍ଗ ସମେତ ଓଡ଼ିଶାର ବିଭିନ୍ନ ଜିଲାରୁ ଲକ୍ଷାଧିକ ଶୈବଭକ୍ତଙ୍କ ସମାଗମରେ ପୀଠ ପ୍ରକମ୍ପିତ ହୋଇଛି। ଭକ୍ତଙ୍କ ପ୍ରବଳ ଭିଡରେ ଚନ୍ଦନେଶ୍ୱର ମହାଦେବଙ୍କ ମନ୍ଦିର ଭିତର ଗର୍ତ୍ତ ଗର୍ଭରେ ଭକ୍ତଙ୍କ ପୂଜା ଲାଗି ଠେଲାପେଲାରେ ବହୁ ଭକ୍ତ ଅଚେତ ହୋଇପଡ଼ିଥିଲେ। ଭକ୍ତଙ୍କ ସକାଶେ ଟ୍ରଷ୍ଟବୋର୍ଡ଼ ପକ୍ଷରୁ କୌଣସି ବ୍ୟବସ୍ଥା ନ ଥିବାରୁ ସେବାୟତ ଓ ପୂଜାରୀମାନେ ଅଣନିଃଶ୍ୱାସୀ ହେବା ସହିତ କମ୍‌ସଂଖ୍ୟକ ପୋଲିସ ମୁତୟନ ଥିବାରୁ ଟ୍ରାଫିକ ସମସ୍ୟା ଓ ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥା ଢିଲା ପଡିଥିଲା। କେତେକ ମହିଳା ଭକ୍ତଙ୍କ ବେକରୁ ସୁନାଚେନ ଓ ଲକେଟ୍‌ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଥିଲା। ପ୍ରତିକୂଳ ପାଗ ସତ୍ତ୍ୱେ ଚୌକି ଗ୍ରାମର ନୀଳକଣ୍ଠେଶର, ଦେଉଳା ହାଟରେ ଅନନ୍ତପୁରୁଷୋତ୍ତମ, ଭୋଗରାଇ ହାଟ ଓ କମର୍ଦ୍ଦାସ୍ଥିତ ବାରଦେଉଳି, ଆରୁହାବୃତ୍ତିରେ ଅଷ୍ଟଶମ୍ଭୁ, ପୁଟିଣାରେ ପୁଟିଣେଶ୍ୱର, କୁମ୍ଭାରମୁଳିରେ ଧବଳେଶ୍ୱର, ଗୋବର୍ଦ୍ଧନପୁରରେ ଝଗ ଆଦି ମହାଦେବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଲାଗିଥିଲା।