ସମ୍ବଳ ନ ଥିବାରୁ ଶିକୁଳି

ବଇଣ୍ଡା,୧।୨(ଡି.ଏନ.ଏ.) ମୂଲ ଲାଗି ପୁଅ ଆଣୁଥିଲେ ମଜୁରି। ଦୁଃଖ କଷ୍ଟରେ ହେଉପଛେ ଚଳିଯାଉଥିଲେ ମା’ ପୁଅ। ହେଲେ ୨୩ ବର୍ଷର ଭେଣ୍ଡିଆ ପୁଅ କୃତ୍ତିବାସ ମାନସିକ ରୋଗରେ ଆକ୍ରାନ୍ତ ହେବା ପରେ ଅସହାୟ ହୋଇଯାଇଛନ୍ତି ମା’ ରଇବାରୀ ମହାପାତ୍ର। ପାଖରେ କିଛି ସମ୍ବଳ ନ ଥିବାରୁ ପୁଅର ଚିକିତ୍ସା କରାଇବା ତାଙ୍କ ପକ୍ଷରେ ସମ୍ଭବ ହୋଇପାରୁ ନାହିଁ। ତେଣୁ ୩ ମାସ ହେଲା ପୁଅର ହାତ, ପାଦରେ ଶିକୁଳି ପକାଇ ଚାହିଁ ରହିଛନ୍ତି ସରକାରୀ ସହାୟତାକୁ। କେବେ ପ୍ରଶାସନ ତାଙ୍କ ପୁଅକୁ ସୁସ୍ଥ କରି ଶିକୁଳି ଖୋଲିବ, ତାହାକୁ ହିଁ ଅପେକ୍ଷା ବୋଲି ରଇବାରୀ କହିଛନ୍ତି।
ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଅଞ୍ଚଳର ରଇବାରୀଙ୍କ କହିବା ଅନୁଯାୟୀ, ତାଙ୍କ ଶାଶୁଘର ବନ୍ତଳା ଥାନା ପୁରୁଣାଗଡ ଅଞ୍ଚଳରେ। ୧୭ ବର୍ଷ ତଳେ ସ୍ବାମୀ ରାଧା ମହାପାତ୍ରଙ୍କ ମୃତ୍ୟୁ ପରଠାରୁ ସେ ବାପଘର ଗଁା ଠାକୁରଗଡ଼ରେ ରହି ଆସୁଛନ୍ତି। ପୁଅ କୃତ୍ତିବାସ ହିଁ ତାଙ୍କର ଏକମାତ୍ର ସାହାଭରସା। ପୁଅ ବାହାରେ ମଜୁରି ଖଟେ। ସେ ନିକଟସ୍ଥ ବିଦ୍ୟାଳୟରେ ରୋଷେଇ କରି କିଛି ଆୟ କରନ୍ତି। ଗତ ଅକ୍ଟୋବରରେ ପୁଅ କୃତ୍ତିବାସଙ୍କଠାରେ ମାନସିକ ରୋଗର ଲକ୍ଷଣ ପ୍ରକାଶ ପାଇଥିଲା। ଧାର କରଜ କରି ସେ ପୁଅକୁ କଟକ ବଡ଼ମେଡିକାଲ ନେଇ ଚିକିତ୍ସା କରିଥିଲେ। ହେଲେ ରୋଗ ଭଲ ହୋଇ ନ ଥିଲା। ଘରୋଇ ଡାକ୍ତରଖାନାରେ ଚିକିତ୍ସା କରିବାକୁ ଚାହିଁଥିଲେ ବି କରଜ ଟଙ୍କା ଶେଷ ହୋଇଯାଇଥିଲା। ତେଣୁ ଉପାୟ ଶୂନ୍ୟ ହୋଇ ସେବେଠାରୁ ସେ ପୁଅକୁ ଘରେ ରଖିଛନ୍ତି। ଦିନକୁ ଦିନ ମାନସିକ ବିକୃତି ବଢ଼ୁଥିବାରୁ ସେ ବାଧ୍ୟହୋଇ ହାତ ଓ ପାଦରେ ଶିକୁଳି ପକାଇ ଦେଇଛନ୍ତି। ଆଠମଲ୍ଲିକ ପ୍ରଶାସନ ତାଙ୍କୁ ସହଯୋଗର ହାତ ବଢ଼ାଇଲେ ପୁଅ ଭଲ ହୋଇପାରନ୍ତା ବୋଲି ରଇବାରୀ ଲୁହ ଛଳ ଛଳ ଆଖିରେ କହିଛନ୍ତି। ଏ ନେଇ ଆଠମଲ୍ଲିକ ଉପଜିଲାପାଳ ଲଲିତ ମୋହନ ବେହେରା କହିଛନ୍ତି, ସରକାର ଦେଇଥିବା ବିଜୁ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ଜରିଆରେ ସମ୍ପୃକ୍ତ ଯୁବକଙ୍କ ଚିକିତ୍ସା କରାଯାଇପାରିବ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମଧ୍ୟ ସହାୟତା ମିଳିପାରିବ। ଏ ନେଇ ପ୍ରଶାସନ ପକ୍ଷରୁ ବିଚାର କରାଯିବ ବୋଲି ଉପଜିଲାପାଳ ପ୍ରକାଶ କରିଛନ୍ତି।