Categories: ଖେଳ

ଶ୍ରୀଲଙ୍କା ହାତରୁ ମ୍ୟାଚ୍‌ ଛଡ଼ାଇ ଆଣିଲେ ଚହର

କଲମ୍ବୋ,୨୦ା୭: ସାମ୍ନାରେ ଥିଲା ୨୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ। କିନ୍ତୁ ୧୯୩ ରନ୍‌ରେ ୭ ଉଇକେଟ ହରାଇ ସାରିଥିଲା ଭାରତ। ବିଜୟର ଆଶା ପ୍ରାୟ ମଉଳି ଯାଇଥିଲା। କିନ୍ତୁ ମ୍ୟାଚ୍‌ର ଫଳାଫଳ ବଦଳି ଦେଇଥିଲେ ଦୀପକ ଚହର। ତାଙ୍କ ସହ ଭୁବନେଶ୍ୱର କୁମାରଙ୍କ ୮୪ ରନ୍‌ର ଭାଗୀଦାରିତା ଯୋଗୁ ଟିମ୍‌ ଇଣ୍ଡିଆ ୨ ଉଇକେଟରେ ଶ୍ରୀଲଙ୍କାକୁ ହରାଇ ଦେଇଛି। ଏହି ବିଜୟ ସହ ସିରିଜ୍‌କୁ ୨-୦ରେ ଆଗୁଆ ଜିତି ନେଇଛି ଟିମ୍‌ ଇଣ୍ଡିଆ। ଅନ୍ୟପକ୍ଷରେ ଏହା ଶ୍ରୀଲଙ୍କା ଦଳର ଘରୋଇ ପରିବେଶରେ କ୍ରମାଗତ ୧୦ମ ପରାଜୟ।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ୫୦ ଓଭରରେ ୯ ଉଇକେଟ ହରାଇ ୨୭୫ ରନ୍‌ କରିଥିଲା। ଦଳ ପାଇଁ ଅଭିଷ୍କା ଫର୍ନାଣ୍ଡୋ ୫୦, ଅସାଲାଙ୍କା ୬୫, ଚାମିରା କରୁଣାରତ୍ନେ ୪୪ ଓ ମିନୋଦ ଭାନୁକା ୩୬ ରନ୍‌ କରିଥିଲେ। ଭାରତ ପାଇଁ ଭୁବନେଶ୍ୱର କୁମାର ଓ ୟୁଜବେନ୍ଦ୍ର ଚହଲ ୩ ଲେଖାଏ ସଫଳତା ପାଇଥିବାବେଳେ ଦୀପକ ହାତେଇଥିଲେ ୨ ଉଇକେଟ। ଜବାବରେ ଭାରତୀୟ ଦଳ ଆରମ୍ଭରୁ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। ଏପରି କି ୧୯୩ ରନ୍‌ ପ୍ରମୁଖ ୭ ବ୍ୟାଟ୍ସମ୍ୟାନଙ୍କୁ ହରାଇ ସାରିଥିଲା। କିନ୍ତୁ ଆଶା ଛାଡ଼ି ନ ଥିଲେ ଦୀପକ ଓ ଭୁବି। ଦୁହେଁ ୮ମ ଉଇକେଟ ପାଇଁ ୮୪ ରନ୍‌ ଯୋଡ଼ି ଭାରତକୁ ଆଣି ଦେଇଛନ୍ତି କଷ୍ଟସାଧ୍ୟ ବିଜୟ। ଦୀପକ ୮୨ ବଲରେ ୭ ଚୌକା ଓ ୧ ଛକା ବଳରେ ୬୯ ଓ ଭୁବି ୧୯ (୨ ଚୌକା) ରନ୍‌ କରି ଅପରାଜିତ ଥିଲେ।

Share