Categories: ରାଜ୍ୟ

ସିଇଟି ହେବ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର, ୫ା୯(ବ୍ୟୁରୋ): ଓଡ଼ିଶା ବିଧାନସଭାରେ ପୂର୍ବରୁ ଉପସ୍ଥାପିତ ୩ଟି ବିଲ୍‌ ଶନିବାର ଗୃହର ଅନୁମୋଦନ ଲାଭ କରିଛି। ସେହି ବିଲ୍‌ଗୁଡ଼ିକ ହେଲା ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ ବିଲ୍‌-୨୦୨୧, ଓଡ଼ିଶା ବିନିଯୋଗ ଅଧିନିୟମ (ନିରସନ) ବିଲ୍‌-୨୦୨୧ ଏବଂ ଓଡ଼ିଶା ସହର ଯୋଜନା ଓ ଅଭିବୃଦ୍ଧି ନ୍ୟାସ(ସଂଶୋଧନ) ବିଲ୍‌ ୨୦୨୧। ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ ବିଲ୍‌ ପାରିତ ହେବା ଦ୍ୱାରା କଲେଜ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି(ସିଇଟି)କୁ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଛି। ଏହା ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟରେ ନାମିତ ହେବ। ଏହି ବିଲ୍‌ ଆସିବା ଫଳରେ ରାଜ୍ୟରେ ବିଜ୍ଞାନର ବିକାଶ ହେବ। ଯାନ୍ତ୍ରିକ ବିଦ୍ୟା, ପ୍ରଯୁକ୍ତି ବିଦ୍ୟା ଏବଂ ତା’ର ପ୍ରୟୋଗ, ସ୍ଥପତି ବିଦ୍ୟା, ଯୋଜନା, ମ୍ୟାନେଜମେଣ୍ଟ ଓ ପ୍ରାୟୋଗିକ ବିଜ୍ଞାନ କ୍ଷେତ୍ରରେ ଶିକ୍ଷା, ଗବେଷଣା ଓ ତାଲିମକୁ ବିକଶିତ କରାଯିବ। ଶୈକ୍ଷିକ ଓ ଗବେଷକ ଗୋଷ୍ଠୀ ଏବଂ ଶିଳ୍ପ ସଂସ୍ଥାଗୁଡ଼ିକ ମଧ୍ୟରେ ପାରସ୍ପରିକ ସହଯୋଗ ତଥା ସମ୍ପର୍କ ବୃଦ୍ଧି ପାଇଁ ଏହା କାର୍ଯ୍ୟ କରିବ। ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଅତ୍ୟାଧୁନିକ ବିକାଶ ସମ୍ପର୍କରେ ଅବଗତ ହେବା ଲକ୍ଷ୍ୟରେ ଦେଶବିଦେଶର ଖ୍ୟାତିସମ୍ପନ୍ନ ଅନୁଷ୍ଠାନଗୁଡ଼ିକ ସହ ଆଦାନପ୍ରଦାନ କରାଯିବ।