Categories: ଫୁରସତ

ଟ୍ରାକ୍ଟରରେ ଉଦ୍ଧାର ହେଲେ ସିଇଓଙ୍କ ପରିବାର

ବେଙ୍ଗାଲୁରୁ,୭।୯: ବେଙ୍ଗାଲୁରୁରେ ଗତ ୭୫ ବର୍ଷ ମଧ୍ୟରେ ତୃତୀୟ ସର୍ବାଧିକ ବର୍ଷା ହୋଇଛି। ତିନିଦିନର ଲଗାଣ ବର୍ଷାରେ ସହର ଜଳାର୍ଣ୍ଣବ ହୋଇଯିବାରୁ ସାଧାରଣ ଜୀବନଯାତ୍ରା ଗୁରୁତର ପ୍ରଭାବିତ ହୋଇଛି। ବର୍ଷା ସାଙ୍ଗକୁ ବିଦ୍ୟୁତ୍‌ କାଟ, ଟ୍ରାଫିକ୍‌ ଜାମ ସମସ୍ୟାକୁ ଦ୍ୱିଗୁଣିତ କରିଛି। ରାସ୍ତା ପାଣିରେ ବୁଡ଼ି ରହିଥିବାବେଳେ ଜଣେ ସିଇଓଙ୍କ ପରିବାର ଓ ତାଙ୍କ ପୋଷା କୁକୁରଙ୍କୁ ଏକ ଟ୍ରାକ୍ଟର ଯୋଗେ ଉଦ୍ଧାର କରାଯାଉଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଶିକ୍ଷାପ୍ରଯୁକ୍ତି ପ୍ଲାଟଫର୍ମର ଅନ୍‌ଏକାଡେମି ସିଇଓ ଗୌରବ ମୁଞ୍ଜଲ ନିଜେ ଏହି ଭିଡିଓ ଶେୟାର କରିଛନ୍ତି। ତାଙ୍କ ରେସିଡେନ୍ସିଆଲ ସୋସାଇଟ୍‌ ଜଳମଗ୍ନ ହୋଇଯାଇଛି। କେବଳ ତାଙ୍କ ସୋସାଇଟି ନୁହେଁ, ଅଧିକାଂଶ ବସ୍ତୀ ଅଞ୍ଚଳ ପାଣିଘେରରେ ରହିଥିବାରୁ ଲୋକେ ଟ୍ରାକ୍ଟର ଯୋଗେ ନିରାପଦ ସ୍ଥାନକୁ ଯାଉଥିବା ଦେଖାଯାଇଛି। ସିଲିକନ୍‌ ଭାଲିର ଅନେକ ଆଇଟି କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି।
ପ୍ରବଳ ବର୍ଷାଜନିତ ବନ୍ୟା ଯୋଗୁ ସହରର ସ୍ଥିତି ବେହାଲ ହୋଇଯାଇଛି। ଅନେକ ବିଳାସପୂର୍ଣ୍ଣ ବଙ୍ଗଳା ପାଣିଘେରରେ ଥିବାବେଳେ ଦାମୀ କାରଗୁଡ଼ିକ ପାଣିରେ ବୁଡ଼ିରହିଛି। କର୍ନାଟକ କଂଗ୍ରେସ ନେତା ରକ୍ସିଥ ଶିବରାମ ଏଭଳି ଏକ ଭିଡିଓ ପୋଷ୍ଟ କରିଛନ୍ତି। ଲୋକେ ଟ୍ରାକ୍ଟର ଓ କ୍ରେନ୍‌ ଯୋଗେ ଏପ୍‌ସିଲୋନ ଅତିକ୍ରମ କରୁଥିବା ଦେଖାଯାଇଛି। ଏହି ଅଞ୍ଚଳରେ ଘରଗୁଡ଼ିକର ଦାମ୍‌ ୩୦ କୋଟି ଟଙ୍କାରୁ କମ୍‌ ନୁହେଁ ବୋଲି ଶିବରାମ ଲେଖିଛନ୍ତି।

Share