ସାକ୍ଷୀଗୋପାଳ, ୨୭।୮ (କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସାକ୍ଷୀଗୋପାଳ ଅଞ୍ଚଳରେ ନଡିଆ ଲଢେଇ ପ୍ରତିଯୋଗିତା ଏକ ନିଆରା ପରମ୍ପରା ଭାବରେ ଶହ ଶହ ବର୍ଷ ଧରି ଚାଲିଆସୁଛି। ବାରମ୍ବାର ବାତ୍ୟା ଓ ରୋଗ ପୋକ ଦାଉରୁ ପ୍ରତିକୂଳ ପାଗରେ ନଡିଆ ଚାଷ ବ୍ୟାପକ ଭାବେ ପ୍ରଭାବିତ ହୋଇଥିଲେ ମଧ୍ୟ ଗହ୍ମାପୂର୍ଣ୍ଣମୀ ତିଥିରେ ସାକ୍ଷୀଗୋପାଳର ଏହି ପ୍ରସିଦ୍ଧ ପରମ୍ପରାକୁ ଆଜିବି ସ୍ଥାନୀୟ ଲୋକେ ବଞ୍ଚାଇ ରଖିଛନ୍ତି। ଗୁରୁବାର ଗହ୍ମାପୂର୍ଣ୍ଣମୀ ଅବସରରେ ହାତରେ ରାକ୍ଷୀ ବାନ୍ଧି ଶହ ଶହ ସଂଖ୍ୟାରେ ଯୁବପିଢୀ ଲଢେ଼ଇ ନଡ଼ିଆ ଧରି ଏହି ପ୍ରତିଯୋଗୀତାରେ ସାମିଲ ହୋଇଥିବା ଦେଖାଯାଇଛି। ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖରେ ଏହି ଖେଳ ଦେଖିବା ପାଇଁ ପ୍ରତିଯୋଗୀଙ୍କ ସହିତ ଦର୍ଶକମାନଙ୍କର ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା।
ଏହି ପାରମ୍ପରିକ ପ୍ରତିଯୋଗିତା ପାଇଁ ବହୁ ପୂର୍ବରୁ ସ୍ୱତନ୍ତ୍ର ଧରଣର ନଡିଆ ଚୟନ କରାଯାଇଥାଏ। ଆଗ୍ରହୀ ଯୁବକମାନେ ବିଭିନ୍ନ ଅଞ୍ଚଳରୁ ବଛା ବଛା ତଥା ମୋଟା ଓ ଟାଣ ସଢେଇ ଥିବା ନଡ଼ିଆ ସଂଗ୍ରହ କରିଥାନ୍ତି। ଏହି ନଡ଼ିଆଗୁଡିକର ଆଖି ପାଖରୁ କିଛି ଅଂଶ ଅଧିକ ଟାଣ ହୋଇଥିବାରୁ, ଏହାକୁ ମାଡ ଦେଲେ ମଧ୍ୟ ତାହା ସହଜରେ ଭାଙ୍ଗେ ନାହିଁ ଏବଂ ଏକାଧିକ ନଡିଆ ଭାଙ୍ଗିବାରେ ସକ୍ଷମ ହୋଇଥାଏ। ତେଣୁ ସାଧାରଣ ନଡିଆଠାରୁ ଏହି ଲଢେଇ ନଡିଆର ଦର ବଜାରରେ ଅଧିକ ରହିଥାଏ। ମୁଖ୍ୟତଃ ଦୁଇଜଣ ଲେଖାଏଁ ପ୍ରତିଯୋଗୀଙ୍କ ମଧ୍ୟରେ ଏହି ଲଢେଇ ହୋଇଥାଏ। କେଉଁଠି ହାତରେ ନଡିଆ ଧରି ପରସ୍ପରକୁ ମାଡ କରାଯାଉଥିବା ବେଳେ, ଅନ୍ୟ କେତେକ ସ୍ଥାନରେ ଅଳ୍ପ ଦୂରରୁ ଗୋଟିଏ ନଡିଆକୁ ଲକ୍ଷ୍ୟକରି ଅନ୍ୟ ନଡ଼ିଆଟିକୁ ଫିଙ୍ଗା ଯାଇଥାଏ।
ଖେଳର ନିୟମ ଅନୁଯାୟୀ, ନଡିଆକୁ ନଡିଆ ମାଡ ହେବା ପରେ ଯେଉଁ ନଡ଼ିଆଟି ଭାଙ୍ଗିଯାଏ, ତାହା ବିଜେତା ପ୍ରତିଯୋଗୀଙ୍କ (ଯାହାର ନଡ଼ିଆ ଅକ୍ଷତ ଥାଏ) ପ୍ରାପ୍ୟ ହୋଇଥାଏ। ପ୍ରତିଯୋଗୀମାନେ ଜିତିଥିବା ବା ସଂଗ୍ରହ କରିଥିବା ଏହି ଭଙ୍ଗା ନଡିଆଗୁଡିକୁ ଘରକୁ ନେଇ ସେଥିରୁ ନଡ଼ିଆ ତେଲ, ବିଭିନ୍ନ ପ୍ରକାରର ପିଠା ଓ କୋରା ଆଦି ପ୍ରସ୍ତୁତ କରିଥାନ୍ତି। ଚଳିତ ବର୍ଷ ସାକ୍ଷୀଗୋପାଳ ମନ୍ଦିର ଦୋଳବେଦୀ ଛକ, ବସଷ୍ଟାଣ୍ଡ, ବନପୁର, ଅଳଗୁମ, କାଦୁଆ, ଶ୍ରୀରାମଚନ୍ଦ୍ରପୁର, ରାହାଙ୍ଗ ଛକ, ପଟ୍ଟନାୟିକିଆ, ବାଲିସାହି, ହରିଆବୁଢ଼ା ମନ୍ଦିର, ବରାଳ ବାଲୁଙ୍କେଶ୍ବର ମନ୍ଦିର, ବଳପୁର, ଆନନ୍ଦପୁର, ସାରଙ୍ଗଯୋଡି ଏବଂ ଗବକୁଣ୍ଡ ଆଦି ବିଭିନ୍ନ ଗ୍ରାମ ଓ ବଜାର ଛକମାନଙ୍କରେ ବେଶ୍ ଆନନ୍ଦ ଉଲ୍ଲାସର ସହ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।