Categories: ଜାତୀୟ

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି: ପଞ୍ଜାବ ସରକାରଙ୍କୁ ବିସ୍ତୃତ ରିପୋର୍ଟ ମାଗିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୨।୩: ଗତ ବର୍ଷ ଜାନୁଆରୀ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଜାବ ଗସ୍ତ ସମୟରେ ସୁରକ୍ଷା କ୍ଷେତ୍ରରେ ତ୍ରୁଟି ଦେଖାଦେଇଥିଲା। କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ରବିବାର ପଞ୍ଜାବ ସରକାରଙ୍କ ଠାରୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଳମ୍ବ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ରିପୋର୍ଟ ମଗାଯାଇଛି। ସ୍ବରାଷ୍ଟ୍ର ସଚିବ ମଧ୍ୟ ଏହି ପ୍ରସଙ୍ଗରେ ପଞ୍ଜାବ ମୁଖ୍ୟ ଶାସନ ସଚିବଙ୍କ ସହ କଥା ହୋଇଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ଘଟଣାର ଅନୁସନ୍ଧାନ ପାଇଁ ଅବସରପ୍ରାପ୍ତ ଜଷ୍ଟିସ ଇନ୍ଦୁ ମାଲହୋତ୍ରାଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟ ୫ ସଦସ୍ୟ ବିଶିଷ୍ଟ ଏକ କମିଟି ଗଠନ କରିଥିଲେ। ରିପୋର୍ଟ କମିଟି ନିକଟରେ ଦାଖଲ ହେବାର ୬ ମାସ ବିତିଗଲାଣି। ଏହି ରିପୋର୍ଟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଅଭାବରୁ ରାଜ୍ୟର ତତ୍କାଳୀନ ମୁଖ୍ୟ ଶାସନ ସଚିବ ଅନିରୁଦ୍ଧ ତିୱାରୀ, ପୋଲିସ ମୁଖ୍ୟ ଏସ ଚଟ୍ଟୋପାଧ୍ୟାୟ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଦାୟୀ ଥିଲେ। ଏହା ପରେ କେନ୍ଦ୍ର ଗୃହ ସଚିବ ଅଜୟ ଭାଲା ପଞ୍ଜାବର ମୁଖ୍ୟ ସଚିବ ବିଜୟ କୁମାର ଜାନଜୁଆଙ୍କୁ ଏକ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ କହିଥିଲେ।
ସୂଚନାଯୋଗ୍ୟ, ଗତ ବର୍ଷ ଜାନୁୟାରୀ ୫ରେ ପଞ୍ଜାବର ଫିରୋଜପୁରର ହୁସେନାୱାଲା ଠାରେ ଏକ ଫ୍ଲାଏ ଓଭରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କନଭେନ ୧୫-୨୦ ମିନିଟ ପାଇଁ ଅଟକି ରହିଥିଲା। ଫ୍ଲାଏ ଓଭରରେ କିଛି ବିକ୍ଷୋଭକାରୀ ଏହାକୁ ବିରୋଧ କରି ଫ୍ଲାଏ ଓଭରକୁ ଅବରୋଧ କରିଥିଲେ। ସେତେବେଳେ ରାଜ୍ୟରେ କଂଗ୍ରେସ ସରକାର ଥିଲା ଏବଂ ଚରଣଜିତ ସିଂ ଚନ୍ନି ମୁଖ୍ୟମନ୍ତ୍ରୀ ଥିଲେ।

Share