Categories: ଜାତୀୟ

ଏନ୍‌ଡିଏ ପରୀକ୍ଷା ପାଇଁ ଆବେଦନ କରିପାରିବେ ଅବିବାହିତ ମହିଳା

ନୂଆଦିଲ୍ଲୀ, ୨୪।୯: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଚଳିତବର୍ଷ ନଭେମ୍ବରରେ ଜାତୀୟ ପ୍ରତିରକ୍ଷା ଏକାଡେମୀ (ଏନ୍‌ଡିଏ) ଏବଂ ନାଭାଲ ଏକାଡେମୀ ପରୀକ୍ଷା ଦେବାକୁ ଚାହୁଁଥିବା ଅବିବାହିତା ମହିଳା ଆବେଦନ କରିବାକୁ କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍‌ସି) ଅନୁମତି ଦେଇଛି। ସର୍ବୋଚ୍ଚ ଅଦାଲତଙ୍କ ଅନ୍ତରୀଣ ନିର୍ଦ୍ଦେଶନାମାର ଅନୁପାଳନ ସ୍ବରୂପ upsconline.nic.inରେ ଆବେଦନପତ୍ର ଗ୍ରହଣ କରିବାକୁ ୟୁପିଏସ୍‌ସି ନିଷ୍ପତ୍ତି ନେଇଛି। କେବଳ ଯୋଗ୍ୟ ଅବିବାହିତା ମହିଳା ଏଥିପାଇଁ ଆବେଦନ କରିପାରିବେ। ପ୍ରତିରକ୍ଷା ମନ୍ତ୍ରଣାଳୟରୁ ସୂଚନା ମିଳିବା ପରେ ମହିଳା ପ୍ରାର୍ଥୀଙ୍କ ପାଇଁ ଖାଲିସ୍ଥାନ ଏବଂ ଶାରୀରିକ ମାନଦଣ୍ଡ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇବ। ସେପ୍ଟେମ୍ବର ୨୪ରୁ ଅକ୍ଟୋବର ୮ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମହିଳା ପ୍ରାର୍ଥୀଙ୍କଠାରୁ ଆବେଦନ ଗ୍ରହଣ ଲାଗି ଓ୍ବିଣ୍ଡୋ ଖୋଲା ରହିବ। ମହିଳାଙ୍କୁ ଆବେଦନ ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ନଭେମ୍ବର ୧୪ରେ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଜଣେ ଅଧିକାରୀ କହିଛନ୍ତି।

Share