Categories: ଜାତୀୟ

ଖଲିସ୍ତାନୀ ଆପ୍‌ ଉପରେ କେନ୍ଦ୍ରର କଟକଣା

ନୂଆଦିଲ୍ଳୀ, ୨୩ା୨: କେନ୍ଦ୍ରୀୟ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ମଙ୍ଗଳବାର ପଞ୍ଜାବ ପଲିଟିକାଲ ଟିଭି ଆପ୍‌ ଏବଂ ଓ୍ବେବ୍‌ ସାଇଟ୍‌ ବନ୍ଦ କରିବାର ନିଷ୍ପତ୍ତି ନେଇଛି। ଏହି ଚ୍ୟାନେଲ ଖଲିସ୍ତାନୀ ସଂଗଠନ ଶିଖ୍‌ ଫର୍‌ ଜଷ୍ଟିସ୍‌ (ଏସ୍‌ଏଫ୍‌ଜେ) ଦ୍ୱାରା ପରିଚାଳିତ ହେଉଥିବା ଅଭିଯୋଗରେ କେନ୍ଦ୍ର ପକ୍ଷରୁ ଏ ପ୍ରକାର ପଦକ୍ଷେପ ନିଆଯାଇଛି। ଇନ୍‌ଫରମେଶନ୍‌ ଟେକନୋଲୋଜି ଗାଇଡ୍‌ ଲାଇନ୍‌ ଏବଂ ଡିଜିଟାଲ ମିଡିଆ ନିୟମ, ୨୦୨୧ ଅନୁଯାୟୀ ମନ୍ତ୍ରଣାଳୟ ଉକ୍ତ ଟିଭି ଚ୍ୟାନେଲକୁ ବନ୍ଦ କରାଯିବା କଥା କହିଛି। ବିଶେଷ କରି ସୋସିଆଲ ସାଇଟ୍‌ଗୁଡ଼ିକରେ ରାଷ୍ଟ୍ର ବିରୋଧୀ କାର୍ଯ୍ୟକଳାପକୁ ରୋକାଯିବା ପାଇଁ ଏହି ନିୟମ ଗତବର୍ଷ ଲାଗୁ କରାଯାଇଥିଲା। ଏସ୍‌ଏଫ୍‌ଜେ ଦ୍ୱାରା ବିଦେଶରୁ ପରିଚାଳିତ ପଞ୍ଜାବ ପଲିଟିକାଲ ଚ୍ୟାନେଲ ଖଲିସ୍ତାନୀ ସଂଗଠନ ସହିତ ମିଶି ପଞ୍ଜାବ ବିଧାନସଭା ନିର୍ବାଚନକୁ ପ୍ରଭାବିତ କରିବାକୁ ଷଡ଼ଯନ୍ତ୍ର କରୁଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବ୍ଲକ ହୋଇଥିବା ଆପ୍‌ଗୁଡ଼ିକରେ ରାଷ୍ଟ୍ର ବିରୋଧୀ ଏବଂ ଲୋକଙ୍କୁ ଉତ୍ତେଜିତ କଲାଭଳି ସୂଚନା ପ୍ରସାରିତ ହେଉଥିବା ଜଣାପଡ଼ିଛି।
ପଞ୍ଜାବ ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ଅର୍ଥାତ୍‌ ଗତ ସପ୍ତାହରେ ଏସ୍‌ଏଫ୍‌ଜେକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର୍‌ ଧରିଥିଲା। ପୂର୍ବତନ ଆମ୍‌ ଆଦମୀ ପାର୍ଟି ନେତା କୁମାର ବିଶ୍ୱାସଙ୍କ ମନ୍ତବ୍ୟରୁ ଏହା ଆରମ୍ଭ ହୋଇଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଖଲିସ୍ଥାନୀ ସଂଗଠନ ସହିତ ମିଶି ରାଜନୀତି କରୁଥିବା ବିଶ୍ୱାସ କହିଥିଲେ, ଯାହାପରେ ଭାଜପା ଏବଂ କଂଗ୍ରେସ କେଜରିଓ୍ବାଲଙ୍କୁ ଘେରିଥିଲେ।

Share