Categories: ଜାତୀୟ

ଲକ୍‌ଡାଉନ ସମୟରେ ସାମ୍ନାକୁ ଆସିଛି ପୋଲିସର ମାନବିକତା: କେନ୍ଦ୍ର

ନୂଆଦିଲ୍ଲୀ, ୨୬ ।୯: କରୋନା ମହାମାରୀ ସମୟରେ ଦେଶରେ ଲାଗୁ କରାଯାଇଥିଲା ଲକ୍‌ଡାଉନ । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଲକ୍‌ଡାଉନ ସମୟରେ ପୋଲିସର ପ୍ରତିକ୍ରିୟାକୁ ନେଇ ଏକ ବିଶ୍ଳେଷଣ କରିଥିଲା । ଏଥିରୁ ଜଣାପଡିଛି ଯେ ଲକ୍‌ଡାଉନ ସମୟରେ ପୋଲିସର ମାନବିକତା ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଛି । ତେବେ ଏହି ସମୟରେ ଚାଲି ଚାଲି ଘରକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କ ସମ୍ପର୍କରେ କୌଣସି ତଥ୍ୟ ପ୍ରକାଶ କରାଯାଇ ନାହିଁ । ଗତ ସପ୍ତାହରେ ପ୍ରକାଶିତ ‘ଦ ଇଣ୍ଡିଆନ ପୋଲିସ ରେସପନ୍ସ ଟୁ କୋଭିଡ-୧୯ କ୍ରାଇସିସି’ ଶୀର୍ଷକ ଏକ ବିଶେଷ ସଂକଳନରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଥିଙ୍କ ଟେକ୍ ‘ବ୍ୟୁରୋ ଅଫ୍ ପୋଲିସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ’ କହିଛି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପୋଲିସ ଓ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ କେବଳ କଡାକଡି ଲକ୍ ଡାଉନ ନିୟମକୁ ପାଳନ କରିଛନ୍ତି ତା’ ନୁହେଁ ବରଂ ସାବଧାନ ହୋଇ କରୋନା ସଂକ୍ରମିତ ରୋଗୀଙ୍କୁ ଟ୍ରାକ୍ ମଧ୍ୟ କରିଛନ୍ତି । ଏହାସହ ପ୍ରବାସୀ ଶ୍ରମିକଙ୍କୁ ଆବଶ୍ୟକ ସେବା ଯୋଗାଇ ଦେବା ଓ କରୋନା ରୋଗୀଙ୍କୁ ପ୍ଲାଜମା ମଧ୍ୟ ଦାନ କରିଛନ୍ତି । ଯେତେବେଳେ ପ୍ରବାସୀ ଶ୍ରମିକ ଘର ବାହୁଡା ଆରମ୍ଭ କରିଥିଲେ ସେତେବେଳେ ଏମାନଙ୍କୁ ନେଇ ଲୋକଙ୍କ ମଧ୍ୟରେ ଚିନ୍ତା ବଢି ଯାଇଥିଲା । ହେଲେ ଏହାକୁ ସାହସର ସହ ସାମ୍ନା କରି ପୋଲିସ ପ୍ରବାସୀ ଶ୍ରମିକଙ୍କୁ ରହିବା, ଖାଇବା, ଜୋତା, ଔଷଧ ଏମିତିକ ଘରେ ପହଞ୍ଚିବାକୁ ଯାବାହାନର ମଧ୍ୟ ବନ୍ଦୋବସ୍ତ କରିଥିଲା । କେନ୍ଦ୍ର ଦ୍ୱାରା ଦିଆଯାଇଥିବା ବିଶ୍ଳେଷଣ ରିପୋର୍ଟରେ କୁହାଯାଇଛି କି ପୋଲିସ ନିଜ ଭ୍ୟାନରେ କେତେଜଣ ଗର୍ଭବତୀଙ୍କୁ ମଧ୍ୟ ସାହାଯ୍ୟ ଯୋଗାଇ ଦେଇଥିଲା ।

Share