‘ରାଉରାକେଲା ବିମାନ ବନ୍ଦର ସମ୍ପ୍ରସାରଣ କାର୍ଯ୍ୟ କେନ୍ଦ୍ର ସରକାର କରନ୍ତୁ’

ରାଉରକେଲା ଅଫିସ, ୭।୨: ରାଉରକେଲା ବିମାନ ବନ୍ଦର ସମ୍ପ୍ରସାରଣ ପାଇଁ ଜମି ନାହିଁ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ବକ୍ତବ୍ୟକୁ ସୋମବାର ଏକ ଖବରଦାତା ସମ୍ମିଳନୀରେ ରାଉରକେଲା ବିକାଶ ମଞ୍ଚ ପକ୍ଷରୁ ଦୃଢ ନିନ୍ଦା କରାଯାଇଛି। ମଞ୍ଚ ପକ୍ଷରୁ କୁହାଯାଇଛି, ରାଉରକେଲା ବିମାନ ବନ୍ଦର ସେଲ୍‌ ଅଧୀନରେ ରହିଛି। ପୂର୍ବରୁ ବେସାମରିକ ବିମାନ ଚଳାଚଳ ବିଭାଗ ୧୯୯୮ ପର୍ଯ୍ୟନ୍ତ ବିମାନ ବନ୍ଦରର ଦେଖାଶୁଣା କରୁଥିଲା। ଆର୍‌ଏସ୍‌ପି ରାଉରକେଲା ବିମାନ ବନ୍ଦର ସମ୍ପ୍ରସାରଣ ଲାଗି ୧୩୬ ଏକର ଜାଗା ଦେଇସାରିଛି। ଗତ ତା୧୦।୨।୨୨ରିଖରେ ରାଜ୍ୟ ସରକାର, ଆର୍‌ଏସ୍‌ପି ଓ ବେସାମରିକ ବିମାନ ଚଳାଚଳ ବିଭାଗ ମଧ୍ୟରେ ବିମାନ ବନ୍ଦର ସମ୍ପ୍ରସାରଣ ନେଇ ଚୂଡାନ୍ତ ଆଲୋଚନା ହୋଇଥିଲା। ଆଲୋଚନାରେ ହକି ବିଶ୍ୱକପ୍‌କୁ ଲକ୍ଷ୍ୟ ରଖି ବିଭାଗ ପକ୍ଷରୁ ସମ୍ପ୍ରସାରଣ କାମ ତୁଲାଇବା ଲାଗି ସହମତି ପ୍ରକାଶ ପାଇଥିଲା। ମାତ୍ର ବେସାମରିକ ବିମାନ ଚଳାଚଳ ବିଭାଗ ଏବେ ସେହି ପ୍ରତିଶ୍ରୁତି ରକ୍ଷା କରୁନି। ବେସାମରିକ ବିମାନ ଚଳାଚଳ ବିଭାଗ, ରାଜ୍ୟ ସରକାର ଓ ଷ୍ଟିଲ ଅଥରିଟି ଅଫ୍‌ ଇଣ୍ଡିଆ ସହ ବିଚାରବିମର୍ଶ କରି ରାଉରକେଲା ବିମାନ ବନ୍ଦର ସମ୍ପ୍ରସାରଣ କାର୍ଯ୍ୟ ନିଜ ହାତକୁ ନେଉ ବୋଲି ମଞ୍ଚର ଆବାହକ ଡଃ ସୁମନ ଦତ୍ତ, ଉପଦେଷ୍ଟା ଅଭୟ ଦାଶ, ସଞ୍ଜୀବ ମହାନ୍ତି, ପଶୁପତି ଚାଟାର୍ଜୀ, ଆର୍ତ୍ତ ମହାରଣା, ସୁପ୍ରତୀକ ମିଶ୍ର ଦାବି କରିଛନ୍ତି।