Categories: ଜାତୀୟ

ମୁଣ୍ଡ ନୋଇଲେ କେନ୍ଦ୍ର ସରକାର, ରୋହିଙ୍ଗ୍ୟା ଇଡବ୍ଲୁଏସ୍‌ ଫ୍ଲାଟ ପରିବର୍ତ୍ତେ ଡିଟେଂଶନ ସେଣ୍ଟରରେ ରହିବେ…

ନୂଆଦିଲ୍ଲୀ, ୧୭।୮ : ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଦିଲ୍ଲୀର ବକ୍କରୱାଲା ଅଞ୍ଚଳରେ ଇଡବ୍ଲୁଏସ୍‌ ଫ୍ଲାଟ ପ୍ରଦାନ କରିବାକୁ କେନ୍ଦ୍ର ସରକାର ବୁଧବାର ନିଷ୍ପତ୍ତି ନେଇଥିଲେ। ଏହା ପରେ କେନ୍ଦ୍ର ସରକାର ବିରୋଧର ସମ୍ମୁଖୀନ ହୋଇଥିଲେ। କେନ୍ଦ୍ରୀୟ ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ ହରଦୀପ୍‌ ସିଂ ପୁରୀ ବୁଧବାର କହିଥିଲେ ଯେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଦିଲ୍ଲୀର ବକ୍କରୱାଲାର ଆପାର୍ଟମେଣ୍ଟକୁ ସ୍ଥାନାନ୍ତର କରାଯିବ ଏବଂ ମୌଳିକ ସୁବିଧା ତଥା ପୋଲିସର ସୁରକ୍ଷା ମଧ୍ୟ ଯୋଗାଇ ଦିଆଯିବ।

କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ଏଏପି ସରକାର କହିଥିଲେ ଯେ ଦିଲ୍ଲୀବାସୀ ଏହାକୁ ଅନୁମତି ଦେବେ ନାହିଁ। ବିଶ୍ୱ ହିନ୍ଦୁ ପରିଷଦର କେନ୍ଦ୍ରୀୟ କାର୍ଯ୍ୟକାରିଣୀ ଅଧ୍ୟକ୍ଷ ଆଲୋକ କୁମାର କହିଥିଲେ ଯେ ଆମେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛୁ ଯେ ଏହି ପ୍ରସଙ୍ଗର ପୁନର୍ବିଚାର କରନ୍ତୁ ଏବଂ ରୋହିଙ୍ଗ୍ୟାମାନଙ୍କୁ ସେମାନଙ୍କୁ ରହିବା ପରିବର୍ତ୍ତେ ଦେଶରୁ ବିତାଡିତ କରିବାର ବ୍ୟବସ୍ଥା କରନ୍ତୁ। ପାକିସ୍ତାନରୁ ଆସିଥିବା ହିନ୍ଦୁ ଶାରଣାର୍ଥୀମାନେ ଦିଲ୍ଲୀର ମଜନୁ କା ଟିଲା ଅଞ୍ଚଳରେ ଖରାପ ପରିବେଶରେ ବାସ କରୁଛନ୍ତି। ଏପରିସ୍ଥଳେ ରୋହିଙ୍ଗ୍ୟାଙ୍କ ପାଇଁ ଏଭଳି ପଦକ୍ଷେପ ସରକାର ଗ୍ରହଣ କରିବା ଦୁଃଖ ଦାୟକ ବୋଲି ସେ କହିଥିଲେ।

ତେବେ ବିବାଦ ଉପୁଜିବା ପରେ କେନ୍ଦ୍ର ସରକାର ମୁଣ୍ଡ ନୋଇଛନ୍ତି। ସେ ଏହି ଆଦେଶକୁ ପ୍ରତ୍ୟାହାର କରି ରୋହିଙ୍ଗ୍ୟାଙ୍କୁ ସେମାନଙ୍କ ଦେଶକୁ ପଠାଇବା ପର୍ଯ୍ୟନ୍ତ ଡିଟେଂଶନ ସେଣ୍ଟରରେ ରଖାଯିବ ବୋଲି କେନ୍ଦ୍ର ସରକାର କହିଛନ୍ତି। ସେହିଭଳି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଏଭଳି କୌଣସି ନିର୍ଦ୍ଦେଶ ଜାରି ହୋଇ ନାହିଁ।

ଇଡବ୍ଲୁଏସ୍‌ (ରିଜର୍ଭଭେଶନ ଫର୍‌ ଇକୋନୋମିକାଲି ଓ୍ବିକର ସେକଶନ) ଫ୍ଲାଟଗୁଡିକ ନୂଆଦିଲ୍ଲୀ ମ୍ୟୁନିସିପାଲିଟି କାଉନସିଲ ଦ୍ୱାରା ନିର୍ମାଣ କରାଯାଇଛି । ଏସବୁ ଟିକରି ସୀମାରେ ବକ୍କରୱାଲା ଅଞ୍ଚଳରେ ଅବସ୍ଥିତ। ଏନେଇ ହରଦୀପ୍‌ ସିଂ ଟୁଇଟ୍‌ କରି କହିଥିଲେ ଯେ, ଭାରତ ସବୁବେଳେ ଶରଣାର୍ଥୀଙ୍କୁ ସ୍ବାଗତ କରିଛି ଏବଂ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦେଇଛି। ଏହି ମର୍ମରେ ରୋହିଙ୍ଗ୍ୟାଙ୍କ ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

Share