Categories: ଜାତୀୟ

ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି- ଅନ୍ୟ ବିଚାରପତିଙ୍କ ସୁବିଧା ସୁଯୋଗ ବଢ଼ାଇଲେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ, ୨୩।୮ : ବିଚାରପତିଙ୍କ ଦରମା ଭତ୍ତା ଏବଂ ସେବା ନିୟମର ଅଧିନିୟମ ୧୯୫୮ରେ କେନ୍ଦ୍ର ସରକାର ସଂଶୋଧନ କରିଛନ୍ତି। ଏହା ଅନ୍ତର୍ଗତ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଏବଂ ଅନ୍ୟ ବିଚାରପତିଙ୍କ ସୁବିଧା ସୁଯୋଗ ବଢ଼ାଯାଇଛି। ନୂଆ ସଂଶୋଧିତ ଆଇନ ଅନୁସାରେ ବିଚାରପତିମାନେ ଅବସର ପରେ ଏକ ବର୍ଷ ପାଇଁ ଚାଉଫର ଅର୍ଥାତ୍‌ ଡ୍ରାଇଭର ସୁବିଧା ପାଇବେ। ଏହି ଚାଉଫରଙ୍କ ପଦବୀ ଏବଂ ବେତନ ସ୍କେଲ କୋର୍ଟର ଅନ୍ୟ ଚାଉଫରଙ୍କ ସହ ସମାନ ରହିବ। ଚାଉଫରମାନେ ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର ନିୟମିତ କର୍ମଚାରୀ ଭାବରେ ଅବସରପ୍ରାପ୍ତ ବିଚାରପତିଙ୍କ ସେବାରେ ରହିବେ।

ସୁପ୍ରିମକୋର୍ଟର ଅବସରପ୍ରାପ୍ତ ପ୍ରଧାନ ବିଚାରପତି ଅବସର ପରେ ୬ମାସ ପାଇଁ ଟାଇପ ୭ ବଙ୍ଗଳାରେ ରହିବା ସୁବିଧା ପାଇବେ। ଏହି ସୁବିଧା ତାଙ୍କ କାର୍ଯ୍ୟକାଳ ପାଇଁ ସ୍ଥିର ହୋଇଥିବା ବଙ୍ଗଳାଠାରୁ ଭିନ୍ନ ହେବ। ସୁପ୍ରିମକୋର୍ଟର ଶାଖା ଅଧିକାରୀଙ୍କ ସହ ସମାନ ଅଧିକାରୀ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ସହକାରୀ ସଚିବ ଭାବରେ ଏକ ବର୍ଷ ପାଇଁ କାର୍ଯ୍ୟ କରିବେ।

ଏହା ବ୍ୟତୀତ ସେମାନେ ଅବସର ପରେ ପରବର୍ତ୍ତୀ ବର୍ଷ ପାଇଁ ବାସଭବନରେ ୨୪ ଘଣ୍ଟା ସୁରକ୍ଷା ମଧ୍ୟ ପାଇବେ। ଏହି ସୁବିଧା ନିୟମିତ ସୁରକ୍ଷା ସହିତ ସମାନ ରହିବ। ଅବସରପ୍ରାପ୍ତ ପ୍ରଧାନ ବିଚାରପତି ଏବଂ ବିଚାରପତିମାନେ ବିମାନବନ୍ଦରରେ ଥିବା ଆନୁଷ୍ଠାନିକ ଲାଉଞ୍ଜରେ ପ୍ରୋଟୋକଲ ସୁବିଧା ମଧ୍ୟ ପାଇବେ।

ସୁପ୍ରିମକୋର୍ଟର ବିଚାରପତି ନିୟମ ୧୯୫୮ରେ କିଛି ନୂତନ ବ୍ୟବସ୍ଥା ଯୋଗ କରାଯାଇଛି। ବର୍ତ୍ତମାନ ଏହା ସୁପ୍ରିମକୋର୍ଟର ଜଜ (ସଂଶୋଧନ) ନିୟମ ୨୦୨୨ ଭାବରେ ମଧ୍ୟ ମାନ୍ୟତା ହାସଲ କରିବ। ଏହି ସମସ୍ତ ସଂଶୋଧନ କେନ୍ଦ୍ର ସରକାରଙ୍କ ଗେଜେଟରେ ସୂଚିତ ହେବା ମାତ୍ରେ କାର୍ଯ୍ୟକାରୀ ହୋଇଛି।

Share