ଚିନିକୁ ନେଇ କେନ୍ଦ୍ରର ବଡ଼ ନିଷ୍ପତ୍ତି! ଏଣିକି ଇଥାନଲ ଉତ୍ପାଦନରେ…

ନୂଆଦିଲ୍ଲୀ, ୧୭।୧୦: କେନ୍ଦ୍ର ସରକାର ୨୦୨୬-୨୭ ଯୋଗାଣ ବର୍ଷ ପାଇଁ ଇଥାନଲ ଉତ୍ପାଦନରେ ଚିନିର ବ୍ୟବହାର ଉପରେ ରୋକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଅନୁଯାୟୀ, ତୈଳ ବିପଣନ କମ୍ପାନିଗୁଡ଼ିକର ନୂଆ ଟେଣ୍ଡରରେ ଆଖୁ ରସ, ଚିନି ସିରପ ଏବଂ ବି-ହେଭି ମୋଲାସେସ୍‌ରୁ ପ୍ରସ୍ତୁତ ଇଥାନଲ୍କୁ ସାମିଲ କରାଯାଇନାହିଁ।ଶୁକ୍ରବାର ଜାରି ହୋଇଥିବା ଟେଣ୍ଡର ଅନୁଯାୟୀ, ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ ଆସନ୍ତା ନଭେମ୍ବରରୁ ଆରମ୍ଭ ହେବାକୁ ଥିବା ଯୋଗାଣ ବର୍ଷ ପାଇଁ ୧,୧୦୦ କୋଟି ଲିଟର ଇଥାନଲ କିଣିବାକୁ ଟେଣ୍ଡର ଆହୱାନ କରିଛନ୍ତି।
ଏବେ ଉତ୍ପାଦକମାନେ ମକା, ଭଙ୍ଗା ଚାଉଳ ଏବଂ ଭାରତୀୟ ଖାଦ୍ୟ ନିଗମ (ଏଫ୍ସିଆଇ) ପାଖରେ ଥିବା ଅତିରିକ୍ତ ଚାଉଳରୁ ଇଥାନଲ ଉତ୍ପାଦନ କରିବା ପାଇଁ ଟେଣ୍ଡରରେ ଭାଗ ନେଇପାରିବେ। କମ ବର୍ଷା ଯୋଗୁଁ ମହାରାଷ୍ଟ୍ର ଓ କର୍ନାଟକରେ ଆଖୁ ଉତ୍ପାଦନ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହା ଫଳରେ ଚିନି ଦର ଉପରେ ଚାପ ବଢ଼ିଛି। ଦେଶରେ ଚିନିର ଘରୋଇ ଯୋଗାଣ ବୃଦ୍ଧି କରିବା ଏବଂ ମୂଲ୍ୟ ନିୟନ୍ତ୍ରଣରେ ରଖିବା ଉଦ୍ଦେଶ୍ୟରେ ସରକାର ଏହି ପଦକ୍ଷେପ ନେଇଛନ୍ତି।
ତୈଳ ଆମଦାନୀ ହ୍ରାସ କରିବା ଏବଂ ପ୍ରଦୂଷଣ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ଭାରତ ଚଳିତ ବର୍ଷ ସାରା ଦେଶରେ ପେଟ୍ରୋଲ ସହ ୨୦ ପ୍ରତିଶତ ଇଥାନଲ ମିଶ୍ରଣ (ଇ-୨୦)କୁ ବାଧ୍ୟତାମୂଳକ କରିଛି।

Dharitri – Odisha’s No.1 Odia Daily

Share