Categories: ଜାତୀୟ

ଇଡ଼ି ଚଢ଼ାଉ ଦ୍ୱାରା ଲୋକଙ୍କ ଧ୍ୟାନ ହଟାଇବାର ଯୋଜନା କରୁଛନ୍ତି କେନ୍ଦ୍ର ସରକାର: ଛତିଶଗଡ଼ ମୁଖ୍ୟମନ୍ତ୍ରୀ…

ରାୟପୁର,୨୦।୨ : କୋଇଲା ମାମଲାରେ ଚାଲିଥିବା ଯାଞ୍ଚର ଏକ ଅଂଶବିଶେଷ ଭାବେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ସୋମବାର ଛତିଶଗଡର କଂଗ୍ରେସ ନେତାଙ୍କ ଘର ସହିତ ଏହା ସମ୍ପର୍କିତ ଅନେକ ସ୍ଥାନରେ ଚଢ଼ାଉ କରିିଛି। ବର୍ତ୍ତମାନ ଏହି ପ୍ରସଙ୍ଗରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଭାଜପାକୁ କଡ଼ା ସମାଲୋଚନା କରିଛନ୍ତି।

ସେ ତାଙ୍କର ଏକ ଟୁଇଟରେ ଲେଖିଛନ୍ତି, ଇଡି ଛତିଶଗଡ ପ୍ରଦେଶ କଂଗ୍ରେସ କମିଟିର କୋଷାଧ୍ୟକ୍ଷ, ଦଳର ପୂର୍ବତନ ଉପାଧ୍ୟକ୍ଷ ତଥା ଜଣେ ବିଧାୟକଙ୍କ ସମେତ ମୋର ଅନେକ ସହକର୍ମୀଙ୍କ ଘରେ ଚଢ଼ାଉ କରିଛି। ଚାରି ଦିନ ପରେ ଫେବୃୟାରୀ ୨୪ରେ ରାୟପୁରରେ କଂଗ୍ରେସର ଏକ ସାଧାରଣ ସମ୍ମିଳନୀ ହେବାକୁ ଯାଉଛି। ପ୍ରସ୍ତୁତିରେ ନିୟୋଜିତ ଆମର ସାଥୀମାନଙ୍କୁ କେନ୍ଦ୍ର ସରକାରଙ୍କ ଏଭଳି ଷଡ଼ଯନ୍ତ୍ର ବାଧା ଦେଇ ପାରିବ ନାହିଁ।

ଏହା ସହିତ ସେ ଅନ୍ୟ ଏକ ଟୁଇଟରେ ଲେଖିଛନ୍ତି, “ଭାରତ ଯୋଡୋ ଯାତ୍ରା” ର ସଫଳତା ନେଇ ଭାଜପା ନିରାଶ ହୋଇଛି। ଏହି ଚଢ଼ାଉ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଏକ ପ୍ରୟାସ। ଦେଶର ଲୋକଙ୍କ ସତ କଥା ଜଣା। ଆମେ ଲଢ଼ିବୁ ଏବଂ ଜିତିବୁ।

କେନ୍ଦ୍ରୀୟ ଏଜେନ୍ସି ଅଧିକାରୀମାନେ କହିଛନ୍ତି ଯେ ବର୍ତ୍ତମାନର ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ହୋଇଥିବା କୋଇଲା ଦୁର୍ନୀତିର ଅପରାଧରୁ ଯେଉଁମାନେ ଲାଭ ପାଇଛନ୍ତି ସେମାନଙ୍କର ଇଡି ଯାଞ୍ଚ କରୁଛି। ଏଜେନ୍ସି ଅନୁଯାୟୀ, ଇଡି ଅନୁସନ୍ଧାନ ଏକ ବଡ ସ୍କାମ ସହିତ ଜଡିତ ଯେଉଁଥିରେ ଛତିଶଗଡରେ ପରିବହନ ହେଉଥିବା ଟନ କୋଇଲା ପିଛା ୨୫ ଟଙ୍କା ବେଆଇନ ଆଦାୟରେ ବରିଷ୍ଠ ଅମଲାତନ୍ତ୍ର, ବ୍ୟବସାୟୀ, ରାଜନୈତିକ ନେତା ତଥା ମଧ୍ୟସ୍ଥିଙ୍କର ଏକ ଦଳ ତିଆରି କରାଯାଇଥିଲା।

Share