Categories: ଜାତୀୟ

ଲୋକଙ୍କ ପ୍ରତି ସମ୍ବେଦନଶୀଳ ନୁହନ୍ତି କେନ୍ଦ୍ର ସରକାର, କଂଗ୍ରେସର ଅଭିଯୋଗ, ରବିବାର ହଲ୍ଲାବୋଲ ରାଲି…

ନୂଆଦିଲ୍ଲୀ, ୩।୯ : ଦରଦାମ ବୃଦ୍ଧି ନେଇ କଂଗ୍ରେସ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରାଯାଇଛି। ଶନିବାର କଂଗ୍ରେସ ଅଭିଯୋଗ କରିଛି ଯେ, କେନ୍ଦ୍ର ସରକାର ଲୋକଙ୍କ ପ୍ରତି ସମ୍ବେଦନଶୀଳ ନୁହନ୍ତି। କଂଗ୍ରେସ ସାଂଗଠନିକ ମହାସଚିବ କେ.ସି.ବେଣୁଗୋପାଳ କହିଛନ୍ତି ତାଙ୍କ ଦଳ ଦେଶର ଜନସାଧାରଣଙ୍କ ହିତ ପାଇଁ ଲଢ଼େଇ ଜାରି ରଖିବ।

ରବିବାର ଦିଲ୍ଲୀର ରାମଲୀଳା ମଇଦାନରେ କଂଗ୍ରେସ ଦରଦାମ୍‌ ବୃଦ୍ଧି ନେଇ ହଲ୍ଲାବୋଲ ରାଲି କରିବାକୁ ଯାଉଛି। ରାଲି ପୂର୍ବରୁ ବେଣୁଗୋପାଳ ଏକ ଗଣମାଧ୍ୟମ ସମ୍ମିଳନୀରେ ଯୋଗଦେଇ ଏଭଳି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ବିଭିନ୍ନ ରାଜ୍ୟରେ ନିର୍ବାଚିତ ସରକାରଙ୍କୁ କ୍ଷମତାଚ୍ୟୁତ କରିବା ଲାଗି ବିଧାୟକ କିଣାରେ ବ୍ୟସ୍ତ ଅଛନ୍ତି। କେନ୍ଦ୍ର ସରକାର ଦେଶର ସାଧାରଣ ଜନତାଙ୍କ ଦୁଃଖ ଦୁର୍ଦ୍ଦଶା ବୁଝିବା ପରିବର୍ତ୍ତେ କେବଳ ରାଜ୍ୟ ସରକାରଙ୍କୁ କ୍ଷମତାରୁ ହଟାଇବାରେ ବ୍ୟସ୍ତ ଅଛନ୍ତି। ୨୦୧୪ ଏବଂ ୨୦୨୨ ମଧ୍ୟରେ ତୁଳନା କଲେ ଏହା ସ୍ଫଷ୍ଟ ଜଣାପଡୁଛି ଯେ ଦରଦାମରେ କେତେ ବୃଦ୍ଧି ଘଟିଛି।

ସେହିପରି କଂଗ୍ରେସ ମହାସଚିବ ଅଜୟ ମାକେନ କହିଛନ୍ତି ଭାଜପା ସରକାର କେବଳ କେତେକ ପୁଞ୍ଜିବାଦୀ ସାଥୀଙ୍କୁ ଲାଭ ପହଞ୍ଚାଇବାରେ ବ୍ୟସ୍ତ ରହିଛନ୍ତି। ସାଧାରଣ ଜନତାଙ୍କ ପାଖରେ କୌଣସି ଲାଭ ପହଞ୍ଚିପାରୁନାହିଁ।

ସୂଚନାଯୋଗ୍ୟ ସେପ୍ଟେମ୍ବର ୭ରେ ଭାଜପାର କଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ୩୫୦୦ କିଲୋମିଟର ଭାରତ ଯୋଡୋ ଯାତ୍ରା ପୂର୍ବରୁ କଂଗ୍ରେସ ପକ୍ଷରୁ ହଲ୍ଲାବୋଲ ରାଲି ଅନୁଷ୍ଠିତ ହେଉଛି।

Share