Categories: ଜାତୀୟ

ଦିଲ୍ଲୀରେ ଟ୍ରାନ୍ସଫର-ପୋଷ୍ଟିଂ ମାମଲା: ସୁପ୍ରିମକୋର୍ଟରେ ପହଞ୍ଚିଲା କେନ୍ଦ୍ର

ନୂଆଦିଲ୍ଲୀ,୨୦।୫: ଗତ ସପ୍ତାହରେ ସୁପ୍ରିମକୋର୍ଟର ଏକ ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ ଦିଲ୍ଲୀ ସରକାରଙ୍କୁ ରାଜଧାନୀ ଦିଲ୍ଲୀରେ କାର୍ଯ୍ୟ କରୁଥିବା ଅଧିକାରୀଙ୍କୁ ଟ୍ରାନ୍ସଫର-ପୋଷ୍ଟିଂ କରିବାର ଅଧିକାର ଦେଇଥିଲେ। ବର୍ତ୍ତମାନ କେନ୍ଦ୍ର ସରକାର ପୁଣିଥରେ ଏସ୍‌ସିଙ୍କ ନିକଟକୁ ଯାଇ ସମ୍ବିଧାନ ବେଞ୍ଚର ନିଷ୍ପତ୍ତି ସମୀକ୍ଷା କରିବାକୁ ଅନୁରୋଧ କରିଛନ୍ତି।

ଶୁକ୍ରବାର ନିଆଯାଇଥିବା ନିଷ୍ପତ୍ତି ପରେ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଯେଉଁଥିରେ ଏକ ଅଧ୍ୟାଦେଶ ଆଣି ପୁଣି ଗ୍ରୁପ ଏ ଅଧିକାରୀଙ୍କ ଟ୍ରାନ୍ସଫର-ପୋଷ୍ଟିଂର ଅଧିକାର ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କୁ ପ୍ରଦାନ କରାଯାଇଛି।

ଦିଲ୍ଲୀ କ୍ୟାପିଟାଲ କ୍ୟାଡରର ଗ୍ରୁପ-ଏ ଅଧିକାରୀଙ୍କ ସ୍ଥାନାନ୍ତର ତଥା ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଜାତୀୟ ରାଜଧାନୀ ଲୋକ ସେବା ପ୍ରାଧିକରଣ ଗଠନ ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ଶୁକ୍ରବାର ଦିନ ଏକ ଅଧ୍ୟାଦେଶ ଜାରି କରିଛନ୍ତି। ଅଧ୍ୟାଦେଶ ଜାରି ହେବାର ଏକ ସପ୍ତାହ ପୂର୍ବରୁ ସୁପ୍ରିମକୋର୍ଟ ଜାତୀୟ ରାଜଧାନୀରେ ଥିବା କିଛଇ ସେବାକୁ ଛାଡି ଅନ୍ୟ ସମସ୍ତ ସେବାର ନିୟନ୍ତ୍ରଣକୁ ଦିଲ୍ଲୀ ସରକାରଙ୍କୁ ଦେଇଛନ୍ତି।
ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ରଦ୍ଦ କରିବା ପାଇଁ କେନ୍ଦ୍ର ଏକ ଅଧ୍ୟାଦେଶ ଜାରି କରିବାକୁ ଯୋଜନା କରୁଥିବା ନେଇ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଅଭିଯୋଗ କରିଥିଲେ।

Share