Categories: ଜାତୀୟ

୬୦୩ ଘରେ ଫାଟ ସୃଷ୍ଟି

ଡେରାଡୁନ,୮।୧: ଉତ୍ତରାଖଣ୍ଡର ଯୋଶୀମଠ ଧସିବାରେ ଲାଗିଛି। ଏହାଦ୍ୱାରା ସେଠାରେ ଥିବା ଘର ଓ ବିଲ୍ଡିଂରେ ଭୟଙ୍କର ଫାଟ ସୃଷ୍ଟି ହୋଇଛି। କେବଳ ସେତିକି ନୁହେଁ ଅନେକ ଘର ଭୁଶୁଡି ମଧ୍ୟ ପଡିଛି । ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଲୋକେ ଶୀତ କାକରରେ ବାହାରେ ଦିନ କାଟୁଛନ୍ତି। ଏବେ ସେଠାରେ ପରିସ୍ଥିତି ଚିନ୍ତାଜନକ ରହିଛି। କେନ୍ଦ୍ର ସରକାର ପରିସ୍ଥିତି ଉପରେ ନଜର ରଖିଛନ୍ତି।
ରବିବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏହି ପ୍ରସଙ୍ଗରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। କ୍ୟାବିନେଟ ସଚିବ ଏବଂ ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀ ତଥା ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ସଦସ୍ୟଙ୍କ ସହ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ କରିଥିଲେ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ ଡା ପି.କେ ମିଶ୍ର। ଭିଡିଓ କନଫରେନ୍ସ ଜରିଆରେ ଉତ୍ତରାଖଣ୍ଡର ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ସମୀକ୍ଷା ବୈଠକରେ ଅଂଶଗ୍ରହଣ କରିଥିଲେ।
ଯୋଶୀମଠ ଭୂସ୍ଖଳନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସହିତ ଫୋନରେ ଆଲୋଚନା କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆବଶ୍ୟକ ସହାୟତା ତଥା ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ସୂଚନାଯୋଗ୍ୟ, ଏ ପର୍ଯ୍ୟନ୍ତ ସେଠାରେ ୬୦୩ଟି ଘରେ ଫାଟ ସୃଷ୍ଟି ହୋଇଛି। ଅନେକ ଘର ଭୁଶୁଡ଼ି ପଡ଼ିବାରେ ଲାଗିଛି। ଏହି କାରଣରୁ ପ୍ରଶାସନ ଅନେକ ପରିବାରକୁ ସ୍ଥାନାନ୍ତର କରିଛି।

Share