କେନ୍ଦ୍ରୀୟ ଅର୍ଥ କମିଶନ ଅନୁଦାନ ହେରଫେର: ସରପଞ୍ଚ ନିଲମ୍ବିତ

ବରଗଡ଼ ଅଫିସ,୨୯।୫: ବରଗଡ଼ ଜିଲା ଗାଇସିଲେଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ପଞ୍ଚାୟତର ସରପଞ୍ଚ ଉଦିଆଁ ଲୁହାଙ୍କୁ ନିଲମ୍ବିତ କରାଯାଇଛି । କେନ୍ଦ୍ରୀୟ ଅର୍ଥ କମିଶନ(ସିଏଫସି) ଅନୁଦାନ ହେରଫେର ଅଭିଯୋଗରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତାଙ୍କୁ ନିଲମ୍ବନ କରିଛନ୍ତି। ଅନ୍ୟପକ୍ଷରେ ନାଏବ ସରପଞ୍ଚ ଗୌର ପାତ୍ର ଉକ୍ତ ପଞ୍ଚାୟତର ସରପଞ୍ଚ ଦାୟିତ୍ୱରେ ରହିବେ ବୋଲି ବରଗଡ଼ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଏକ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି। ଉକ୍ତ ପଞ୍ଚାୟତରେ କେନ୍ଦ୍ରୀୟ ଅର୍ଥ କମିଶନରୁ ମିଳିଥିବା ଅନୁଦାନରୁ ୧୩ ଲକ୍ଷ ୯୧ହଜାର ୯୧୭ ଟଙ୍କା ହେରଫେର ଅଭିଯୋଗ ଆସିବା ପରେ ସରପଞ୍ଚଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।