Categories: ଜାତୀୟ

ସିଙ୍ଗଲ ୟୁଜ ପ୍ଲାଷ୍ଟିକ ନେଇ ରାଜ୍ୟ ସରକାରଙ୍କୁ କେନ୍ଦ୍ରର ଚିଠି…

ନୂଆଦିଲ୍ଲୀ, ୫।୬ : ଭାରତର ୪,୭୦୦ ସହରାଞ୍ଚଳ ମଧ୍ୟରୁ କେବଳ ୨୫୦୦ରେ ଜୁଲାଇ ୧ ସୁଦ୍ଧା ଏକକ ବ୍ୟବହାର ପ୍ଲାଷ୍ଟିକ ( ସିଙ୍ଗଲ ୟୁଜ ପ୍ଲାଷ୍ଟିକ) ଉପରେ ନିଷେଧାଦେଶ ଘୋଷଣା କରାଯାଇଛି। ଏ ବାବଦରେ ଅଧିକ ଧ୍ୟାନ ଦିଆ ଯାଉ ନ ଥିବାରୁ ସ୍ବରାଷ୍ଟ୍ର ଓ ସହରାଞ୍ଚଳ ମନ୍ତ୍ରଣାଳୟ ଏକକ-ବ୍ୟବହାର ପ୍ଲାଷ୍ଟିକ ବ୍ୟବହାରକୁ ଯୋଜନାବଦ୍ଧ ଭାବେ ବନ୍ଦ କରିବା ଏବଂ ବ୍ୟାପକ ପରିଷ୍କାର ବଜାୟ ରଖିବା ସହିତ ସବୁଜ ଏଜେଣ୍ଡାରେ ଯୋଗଦାନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବିଶ୍ୱ ପରିବେଶ ଦିବସରେ ମନ୍ତ୍ରଣାଳୟ କହିଛି, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଅନୁଯାୟୀ, ୪,୭୦୪ ୟୁଏଲବି ମଧ୍ୟରୁ ୨,୫୯୧ ଉପରେ ପୂର୍ବରୁ ଏସ୍‌ୟୁପି ନିଷେଧାଦେଶ ଲାଗୁ କରିଛନ୍ତି। ତେଣୁ ରାଜ୍ୟ ସରକାର ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକ ଅବଶିଷ୍ଟ ୨,୧୦୦ ୟୁଏଲବିକୁ ଜୁନ ୩୦ ସୁଦ୍ଧା ସୂଚିତ କରିବା ଜରୁରୀ। ଏନେଇ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଚିଠିଲେଖିଛନ୍ତି।

ସ୍ବଚ୍ଛ ଭାରତ ମିଶନ ସହରୀ-୨.୦ ଅନ୍ତର୍ଗତ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା ଗୁରୁତ୍ୱପୂର୍ଣ୍ଣ। ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଂଗ୍ରହ ଉପରେ ବିଶେଷ ଗୁରୁତ୍ୱ ଦିଆଯିବା ସହ ବହୁ ପରିମାଣର ବୃକ୍ଷରୋପଣ ସହିତ ପରିଷ୍କାର ପରିଚ୍ଛନ୍ନତା ଏବଂ ପ୍ଲଗିଂ ଡ୍ରାଇଭ ସମେତ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକଳାପ ଗ୍ରହଣ କରିବାକୁ ମନ୍ତ୍ରଣାଳୟ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ବିସ୍ତୃତ ପରାମର୍ଶ ଦେଇଛି। ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା ସଂଶୋଧନ ନିୟମ ଅନୁଯାୟୀ, ୨୦୨୧ ସୁଦ୍ଧା ୭୫ ମାଇକ୍ରନରୁ କମ୍‌ ପୁନ ପ୍ରକ୍ରିୟାକରଣ ପ୍ଲାଷ୍ଟିକ ବ୍ୟାଗର ନିର୍ମାଣ ପରିବହନ, ଆମଦାନୀ, ସଂରକ୍ଷଣ, ବଣ୍ଟନ, ବିକ୍ରୟ ଏବଂ ବ୍ୟବହାର ନିଷେଧ କରାଯାଇଛି।

ଏକ୍ଷେତ୍ରରେ ଲୋକଙ୍କର ଅଂଶଗ୍ରହଣ ଉପରେ ଗୁରୁତ୍ୱାରୋପ କରାଯାଇଛି। ଅଞ୍ଚଳର ସମସ୍ତ ନାଗରିକ ବର୍ଗ ମେୟର ଏବଂ ୱାର୍ଡ କାଉନସିଲର, ସ୍ବେଚ୍ଛାସେବୀ ସଂଗଠନ, ସ୍ଥାନୀୟ ଏନଜିଓ, ବାସିନ୍ଦା କଲ୍ୟାଣ ସଙ୍ଗଠନ, ବଜାର ଆସୋସିଏଶନ, ସ୍ବୟଂ ସହାୟକ ଗୋଷ୍ଠୀ, ଛାତ୍ର ଏବଂ ଯୁବ ଗୋଷ୍ଠୀ ଇତ୍ୟାଦି ନିର୍ବାଚିତ ପ୍ରତିନିଧି ସମସ୍ତେ ଏକତ୍ରିତ ହେବା ସହିତ ଏସ୍‌ୟୁପି ନିଷେଧାଦେଶ ଏବଂ କାର୍ଯ୍ୟକାରିତା ବାର୍ତ୍ତା ଆଗକୁ ନେବା ପାଇଁ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଚିଠିରେ ଉଲ୍ଲେଖ କରାଯାଇଛି।

Share