ମୃତ୍ୟୁ ପ୍ରମାଣପତ୍ର ନୀତି ଉପରେ କେନ୍ଦ୍ରକୁ ଜବାବ ତଲବ

ନୂଆଦିଲ୍ଲୀ, ୨୫।୫(ଆଇଏଏନ୍‌ଏସ୍‌): କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ମୃତ୍ୟୁ ପ୍ରମାଣପତ୍ର ଇସ୍ୟୁ କଲାବେଳେ ସମାନ ନୀତି ଓ ନିର୍ଦ୍ଦିଷ୍ଟ ଗାଇଡ୍‌ଲାଇନର ଅବଲମ୍ବନ କରାଯିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ସୋମବାର କହିଛନ୍ତି। ଅନେକ ସମୟରେ ମୃତ୍ୟୁର କାରଣ ହୃଦ୍‌ଘାତ କିମ୍ବା ଫୁସ୍‌ଫୁସ୍‌ କାମ ନ କରିବା କାରଣରୁ ହୋଇପାରିଥିବା ସାର୍ଟିଫିକେଟରେ ଦର୍ଶାଯାଉଛି, କିନ୍ତୁ ଏସବୁର ମୂଳ କାରଣ କୋଭିଡ୍‌-୧୯ ହୋଇଥାଇପାରେ ବୋଲି ଜଷ୍ଟିସ୍‌ ଅଶୋକ ଭୂଷଣ ଏବଂ ଏମ୍‌.ଆର୍‌. ଶାହାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି। ମୃତ୍ୟୁ ପ୍ରମାଣପତ୍ର କିପରି ଇସ୍ୟୁ ହେଉଛି ବୋଲି ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି।
କରୋନାରେ ପ୍ରାଣ ହରାଉଥିତ୍ବା ପ୍ରତ୍ୟେକ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ଲାଗି ଦାଏର ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌)ର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ରକୁ ନୋଟିସ ଜାରି କରିଥିଲେ। ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫ର ଧାରା ୧୨ ଅନୁଯାୟୀ ପ୍ରଭାବିତ ବ୍ୟକ୍ତିଙ୍କୁ ସର୍ବନିମ୍ନ ମାନର ସହାୟତା ଯୋଗାଇଦେବା ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ମୌଳିକ କର୍ତ୍ତବ୍ୟ। ଉକ୍ତ ଆଇନର ଧାରା ୧୨ (୩) ଅନୁଯାୟୀ ଏନ୍‌ଡିଏମ୍‌ଏ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ହୋଇଥିବା ବ୍ୟକ୍ତିଙ୍କୁ କ୍ଷତିପୂରଣ ଯୋଗାଇଦେବେ ବୋଲି ପିଆଇଏଲ୍‌ ଦାଏର କରିଥିବା ଆଇନଜୀବୀ ଗୌରବ କୁମାର ବଂଶଲ ଉଲ୍ଲେଖ କରିଥିଲେ। ଏହା ଉପରେ ଖଣ୍ଡପୀଠ ବିପର୍ଯ୍ୟୟ ପରିଚାଳନା ଆଇନର ନୀତି ସମ୍ପର୍କରେ ଜଣାଇବାକୁ କେନ୍ଦ୍ର ଏବଂ ଆଇସିଏମ୍‌ଆର୍‌କୁ କହିଛନ୍ତି। ଉକ୍ତ ଆଇନର ନୀତି ଅନୁଯାୟୀ କୋଭିଡ୍‌ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇପାରିବ କି ନାହଁ ତାହା ଜଣାଇବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ମୃତ୍ୟୁ ପ୍ରମାଣପତ୍ର ଇସ୍ୟୁ କରିବା ଲାଗି କୌଣସି ସାର୍ବଜନିକ ନୀତି ରହିଥିଲେ ୧୦ ଦିନ ମଧ୍ୟରେ ଜଣାଇବା ପାଇଁ ଖଣ୍ଡପୀଠ କେନ୍ଦ୍ରକୁ କହିଛନ୍ତି।

Share