Categories: ଜାତୀୟ

ଦେଶଦ୍ରୋହ ଆଇନର ପୁନର୍ବିଚାର କରିବ କେନ୍ଦ୍ର

ନୂଆଦିଲ୍ଲୀ,୧୦।୫: ଦେଶଦ୍ରୋହ ଆଇନ ଯଥାର୍ଥ ଏବଂ ଏହାର ପୁନଃ ସମୀକ୍ଷା କରିବାର ଆବଶ୍ୟକତା ନାହିଁ ବୋଲି କେନ୍ଦ୍ର ସରକାର ଦୁଇଦିନ ପୂର୍ବରୁ ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ। ସୋମବାର ମତ ପରିବର୍ତ୍ତନ କରି ଉକ୍ତ ଆଇନ ବା ଆଇପିସିର ଧାରା ୧୨୪ଏ’ର ପୁନର୍ବିଚାର ଏବଂ ପୁନଃ ସମୀକ୍ଷା କରାଯିବ ବୋଲି ସରକାର ଅଦାଲତଙ୍କୁ ଜଣାଇଛନ୍ତି। ସରକାରଙ୍କ ପୁନଃସମୀକ୍ଷା କାର୍ଯ୍ୟ ଶେଷ ନ ହେବା ପର୍ଯ୍ୟନ୍ତ ପିଟିଶନଗୁଡ଼ିକର ଶୁଣାଣି ବନ୍ଦ ରଖିବାକୁ କେନ୍ଦ୍ର ପକ୍ଷରୁ ଏକ ସତ୍ୟପାଠ ଜରିଆରେ ଶୀର୍ଷ ଅଦାଲତଙ୍କୁ ଅନୁରୋଧ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ପରେ ସରକାର ମତ ବଦଳାଇଥିବା କୁହାଯାଉଛି।
ଦାଖଲ କରିଥିବା ସତ୍ୟପାଠରେ କୁହାଯାଇଛି, ସ୍ବାଧୀନତାର ୭୫ ବର୍ଷ ଅବସରରେ ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଉଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ସରକାର ଧାରା ୧୨୪ଏ ବ୍ୟବସ୍ଥାର ପୁନର୍ବିଚାର କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ତେଣୁ ଏଡିଟର୍ସ ଗିଲ୍ଡ ଅଫ୍‌ ଇଣ୍ଡିଆ, ତୃଣମୂଳ କଂଗ୍ରେସ ଏମ୍‌ପି ମହୁଆ ମୈତ୍ର ଏବଂ ଅନ୍ୟମାନେ ଦାଖଲ କରିଥିବା ପିଟିଶନରେ ସମୟ ବ୍ୟୟ ନ କରି ସରକାରଙ୍କ ସମୀକ୍ଷାକୁ ଅପେକ୍ଷା କରିବା ଲାଗି ଅଦାଲତଙ୍କୁ ଅନୁରୋଧ କରାଯାଇଛି।
ସୂଚନାଯୋଗ୍ୟ, ଦେଶଦ୍ରୋହ ଆଇନର ବ୍ୟାପକ ଅପବ୍ୟବହାର ହେଉଥିବା ନେଇ ଅଭିଯୋଗ ହୋଇଆସୁଥିବାବେଳେ ବ୍ରିଟିଶ ଅମଳର ଏହି ବ୍ୟବସ୍ଥାକୁ କ’ଣ ପାଇଁ ଉଚ୍ଛେଦ କରା ନ ଯିବ ବୋଲି ଗତବର୍ଷ ଜୁଲାଇରେ ଶୀର୍ଷ ଅଦାଲତ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଥିଲେ। ଗତ ଶନିବାର ସରକାର ଉକ୍ତ ଆଇନ ସପକ୍ଷରେ ଯୁକ୍ତି ଦର୍ଶାଇବା ସହ ୧୯୬୨ରେ ସାମ୍ବିଧାନିକ ବେଞ୍ଚ ଏହାର ବୈଧତାକୁ କାଏମ ରଖିଥିବା କହିଥିଲେ।

Share