Categories: ଜାତୀୟ

ସଂକ୍ରମଣ ବୃଦ୍ଧି ନେଇ ଓଡ଼ିଶାକୁ କେନ୍ଦ୍ରର ତାଗିଦ

ନୂଆଦିଲ୍ଲୀ, ୪।୧୨: ଓଡ଼ିଶା ସମେତ ୫ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରର କେତେକ ଜିଲାରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ଓ ମୃତ୍ୟୁହାର ଦ୍ରୁତ ବୃଦ୍ଧି ପାଉଛି। ଏଥିସହିତ ଉକ୍ତ ରାଜ୍ୟଗୁଡ଼ିକରେ ଟେଷ୍ଟିଂ ହ୍ରାସ ପାଇଥିବାରୁ କେନ୍ଦ୍ର ସରକାର ଚିନ୍ତାବ୍ୟକ୍ତ କରିବା ସହ ତାଗିଦ୍‌ କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଓଡ଼ିଶା, କର୍ନାଟକ, କେରଳ, ତାମିଲନାଡୁ, ମିଜୋରାମ ଏବଂ ଜମ୍ମୁ-କଶ୍ମୀରକୁ ପତ୍ର ଲେଖି ବିଦେଶରୁ ବିଶେଷ କରି ଆଟ୍‌ ରିସ୍କ ଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ କଡ଼ା ନଜର ରଖିବା ସହ ସେମାନଙ୍କର କୋଭିଡ୍‌ ଟେଷ୍ଟିଂ କରାଇବା, ସଂକ୍ରମଣ ବ୍ୟାପୁଥିବା ହଟ୍‌ସ୍ପଟ୍‌ଗୁଡ଼ିକରେ ସମସ୍ତ କୋଭିଡ୍‌ ରୋଗୀଙ୍କ ନମୁନା ଜିନୋମ୍‌ ସିକ୍ୱେନ୍ସିଂ ପାଇଁ ପଠାଇବାକୁ ପରାମର୍ଶ ଦିଆଯାଇଛି।

ଓଡ଼ିଶାର କେତେକ ଜିଲାରେ କିଛିଦିନ ହେଲା କୋଭିଡ୍‌ ସଂକ୍ରମଣ ବଢ଼ିଚାଲିଛି। ଗତ ୧୪ ଦିନ ମଧ୍ୟରେ ଢେଙ୍କାନାଳ ଜିଲାରେ ସଂକ୍ରମଣ ୬୬୬ ପ୍ରତିଶତ ବୃଦ୍ଧି ପାଇବା ଚିନ୍ତାର କାରଣ ପାଲଟିଛି। ରାଜ୍ୟ ସ୍ବାସ୍ଥ୍ୟ ସଚିବ ଆର୍‌.କେ.ଶର୍ମାଙ୍କୁ କେନ୍ଦ୍ର ଲେଖିଥିବା ଚିଠି ଅନୁଯାୟୀ ଡିସେମ୍ବର ୪ରେ ଶେଷ ହୋଇଥିବା ମାସରେ ଓଡ଼ିଶାରେ ୭,୪୪୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ଯାହାକି ଉକ୍ତ ମାସରେ ଦେଶର ମୋଟ ସଂକ୍ରମଣର ୨.୫ ପ୍ରତିଶତ। ଡିସେମ୍ବର ୩ରେ ଶେଷ ହୋଇଥିବା ସପ୍ତାହରେ ଖୋର୍ଦ୍ଧା ଜିଲାରେ ସର୍ବାଧିକ ୯୦୦ ନୂଆ ମାମଲା ସାମନାକୁ ଆସିଛି। ସେହିପରି କନ୍ଧମାଳରେ ସଂକ୍ରମଣ ୨୫୦ ପ୍ରତିଶତ ବଢ଼ିଥିବାବେଳେ ନବରଙ୍ଗପୁରରେ ୧୫୦ ପ୍ରତିଶତ, କେନ୍ଦୁଝରରେ ୧୦୯ ପ୍ରତିଶତ, ଅନୁଗୋଳରେ ୯୫ ପ୍ରତିଶତ ଏବଂ ବଲାଙ୍ଗୀରରେ ୭୫ ପ୍ରତିଶତ ବଢ଼ିଛି। ଏଥିସହିତ ରାଜ୍ୟରେ ସାପ୍ତାହିକ କୋଭିଡ୍‌ ପରୀକ୍ଷା ୩.୧ ପ୍ରତିଶତ ହ୍ରାସ ପାଇଥିବା ଦେଖାଯାଇଛି। ନଭେମ୍ବର ୨୬ରେ ଶେଷ ହୋଇଥିବା ସପ୍ତାହରେ ୪,୦୧,୧୬୪ ନମୁନା ପରୀକ୍ଷା କରାଯାଇଥିବା ବେଳେ ଡିସେମ୍ବର ୩ରେ ଶେଷ ହୋଇଥିବା ସପ୍ତାହରେ ୩,୮୮,୭୮୮ ପରୀକ୍ଷା ହୋଇଛି।

Share