Categories: ଜାତୀୟ

କେନ୍ଦ୍ର ପାଖରେ ୧୦.୬୯ ଲକ୍ଷ ଯୌନ ଅପରାଧୀଙ୍କ ତଥ୍ୟ

ନୂଆଦିଲ୍ଲୀ, ୨୮ା୪: ଦେଶରେ ଯୌନ ଅପରାଧ କରିଥିବା ୧୦.୬୯ ଜଣଙ୍କ ବାବଦରେ ବିସ୍ତୃତ ତଥ୍ୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପାଖରେ ରହିଛି। ନୂଆ ଅପରାଧକୁ ଟ୍ରାକ୍‌ କରିବା ନିମନ୍ତେ ସେମାନଙ୍କ ପ୍ରୋଫାଇଲ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକ ପାଖରେ ଉପଲବ୍ଧ ଥିବା ମନ୍ତ୍ରଣାଳୟ ପକ୍ଷରୁ ୨୦୨୧-୨୨ର ବାର୍ଷିକ ରିପୋର୍ଟରେ ଦର୍ଶାଯାଇଛି। ରିପୋର୍ଟ ଅନୁସାରେ, ନ୍ୟାଶନାଲ ଡାଟାବେସ୍‌ ଅନ୍‌ ସେକ୍ସୁଆଲ ଅଫେଣ୍ଡର୍ସ (ଏନ୍‌ଡିଏସ୍‌ଓ) ଦେଶର ୧୦.୬୯ ଅଭ୍ୟାସଗତ ଯୌନ ଅପରାଧୀଙ୍କ ସୂଚନା ରଖିଛି। ସେମାନେ ଯେପରି ଆଗକୁ କୌଣସି ଅପରାଧ ନ କରନ୍ତି ତାହା ଉପରେ ନଜର ରଖାଯାଇଛି। ବଳାତ୍କାର, ଗଣବଳାତ୍କାର, ଯୌନ ନିର୍ଯାତନା ମାମଲା ସମେତ ପୋକ୍ସୋ ଆଇନ ବଳରେ ଦୋଷୀ ହୋଇଥିବା ଅପରାଧୀଙ୍କ ସୂଚନା ଏହି ଡାଟାବେସ୍‌ରେ ରହିଛି। ଏଥିରେ ସେମାନଙ୍କ ନାଁ, ଠିକଣା, ଫଟୋ, ପରିଚୟ ପତ୍ର, ଫିଙ୍ଗରପ୍ରିଣ୍ଟ ଆଦି ରହିଛି। କୌଣସି ଆପରାଧିକ ମାମଲାର ଯାଞ୍ଚ କିମ୍ବା ଅପରାଧ ରୋକିବା ପାଇଁ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକ ଯେ କୌଣସି ସମୟରେ ଏହି ତଥ୍ୟ ହାସଲ କରିପାରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଇଣ୍ଟର ଅପରେବଲ୍‌ କ୍ରିମିନାଲ ଜଷ୍ଟିସ୍‌ ସିଷ୍ଟମ (ଆଇସିଜେଏସ୍‌)ର ବ୍ୟବସ୍ଥା ଅନୁସାରେ ଅଭ୍ୟାସଗତ ଅପରାଧୀଙ୍କ ପରିଚୟ ହାସଲ କରି ମହିଳା ବିରୋଧୀ ହିଂସା ଏବଂ ଅପରାଧ ରୋକିବା ନିମନ୍ତେ ଏନ୍‌ଡିଏସ୍‌ଓ ୨୦୧୮ ସେପ୍ଟେମ୍ବରରେ ଗଠନ ହୋଇଥିଲା। ଭାରତ ସମେତ ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ, କାନାଡା, ଆୟର୍ଲାଣ୍ଡ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା ଭଳି ଦେଶରେ ଏଭଳି ସିଷ୍ଟମ ରହିଛି। ତେବେ ସର୍ବସାଧାରଣରେ ଅପରାଧୀଙ୍କ ପରିଚୟ ପ୍ରଘଟ କରିବା ବ୍ୟବସ୍ଥା କେବଳ ଆମେରିକାରେ ରହିଛି।

Share