Categories: ଜାତୀୟ

୩୦ରେ କେନ୍ଦ୍ର-କୃଷକ ଆଲୋଚନା

ନୂଆଦିଲ୍ଲୀ, ୨୯।୧୨(ପି.ଟି.) : ନୂଆ କୃଷି ଆଇନକୁ ନେଇ ଚାଷୀମାନଙ୍କ ଆନ୍ଦୋଳନ ଦ୍ୱିତୀୟ ମାସରେ ପହଞ୍ଚତ୍ଥିବାବେଳେ ୩୦ ତାରିଖରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ କେନ୍ଦ୍ର ସରକାର ସୋମବାର ଆନ୍ଦୋଳନରତ ୪୦ ଚାଷୀ ସଂଗଠନକୁ ଆମନ୍ତ୍ରଣ କରିଛନ୍ତି। ଆଲୋଚନା ମାଧ୍ୟମରେ ସମସ୍ତ ଆନୁଷଙ୍ଗିକ ପ୍ରସଙ୍ଗର ତାର୍କିକ ସମାଧାନ କରାଯିବା ସହ କୃଷି ଆଇନକୁ ନେଇ ଲାଗିରହିଥିବା ଅଚଳାବସ୍ଥା ଦୂର ହେବ ବୋଲି ସରକାର କହିଛନ୍ତି। ଚାଷୀମାନେ ମଙ୍ଗଳବାର ଆଲୋଚନା ଲାଗି ପୂର୍ବରୁ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ଆଲୋଚନାରେ ୩ କୃଷି ଆଇନ ପ୍ରତ୍ୟାହାର ପ୍ରସଙ୍ଗ ସ୍ଥାନ ଦେବାକୁ ସେମାନେ ଦାବି କରିଥିଲେ।
କୃଷି ସଚିବ ସଞ୍ଜୟ ଅଗ୍ରଓ୍ବାଲ କୃଷକ ସଂଗଠନଗୁଡ଼ିକୁ ପତ୍ର ଲେଖି ବୁଧବାର ଅପରାହ୍ନ ୨ଟାରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆଲୋଚନା ପାଇଁ ଆମନ୍ତ୍ରଣ କରିଛନ୍ତି। ଏହା ପୂର୍ବରୁ ସରକାରଙ୍କ ସହ ଚାଷୀନେତାଙ୍କ ବୈଠକ ଡିସେମ୍ବର ୫ରେ ହୋଇଥିଲା। ୩ କୃଷି ଆଇନ ପ୍ରତ୍ୟାହାରର ଉତ୍ତର ସରକାର ‘ହଁ କିମ୍ବା ନା’ରେ ଦେବାକୁ ଚାଷୀମାନେ ଆଲୋଚନା ବେଳେ ଦାବି କରିଥିଲେ। ସରକାର ସ୍ପଷ୍ଟ ଉଦ୍ଦେଶ୍ୟ ଓ ଖୋଲା ମନରେ ସମସ୍ତ ଆନୁଷଙ୍ଗିକ ପ୍ରସଙ୍ଗରେ ତାର୍କିକ ସମାଧାନ ବାହାର କରିବାକୁ ପ୍ରତିଶ୍ରୁତିବଦ୍ଧ। ୩ କୃଷି ଆଇନ, ଏମ୍‌ଏସ୍‌ପି ବ୍ୟବସ୍ଥା, ବିଦ୍ୟୁତ୍‌ ସଂଶୋଧନ ବିଲ୍‌, ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ଲାଗି ଅଧ୍ୟାଦେଶ ଆଣିବା ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ବୋଲି ଅଗ୍ରଓ୍ବାଲ ପତ୍ରରେ ଉଲ୍ଲେଖ କରିଛନ୍ତି। ତେବେ ଚାଷୀମାନଙ୍କ ମୁଖ୍ୟ ସର୍ତ୍ତ ଆଇନ ପ୍ରତ୍ୟାହାର ସମ୍ପର୍କରେ ସରକାରଙ୍କ ଚିଠିରେ କିଛି ଉଲ୍ଲେଖ ନାହିଁ।
ପୂର୍ବରୁ କେନ୍ଦ୍ର ସହ କୃଷକ ସଂଗଠନଗୁଡ଼ିକର ୫ ପର୍ଯ୍ୟାୟ ଆଲୋଚନା ବିନା ନିଷ୍କର୍ଷରେ ଶେଷ ହୋଇଛି। ଡିସେମ୍ବର ୯ରେ ଷଷ୍ଠ ପର୍ଯ୍ୟାୟ ଆଲୋଚନା ହେବାକୁ ଥିବାବେଳେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ସହ ଚାଷୀନେତାମାନଙ୍କର ଏକ ଅଣଆନୁଷ୍ଠାନିକ ବୈଠକ ପରେ ଏହାକୁ ବାତିଲ କରିଦିଆଯାଇଥିଲା। ସରକାର ନୂଆ ଆଇନରେ ୭-୮ଟି ସଂଶୋଧନ ସହ ଏମ୍‌ଏସ୍‌ପି ସଂଗ୍ରହ ବ୍ୟବସ୍ଥା ଉପରେ ଲିଖିତ ପ୍ରତିଶ୍ରୁତି ଦେବେ ବୋଲି ପ୍ରସ୍ତାବ ଦେଇଥିଲେ।

Share