Categories: ଜାତୀୟ

ପ୍ରବାସୀଙ୍କୁ ପର କରିଦେଲା କେନ୍ଦ୍ର

ନୂଆଦିଲ୍ଲୀ, ୮ା୩: ବିଦେଶରେ ରହୁଥିବା ଭାରତର ନାଗରିକ(ଓସିଆଇ)ମାନଙ୍କୁ ଚକିତ କରିଦେବା ଭଳି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରିଛି। ନାଗରିକତ୍ୱ ଆଇନ, ୧୯୫୫ ଧାରା ୭ ‘ବି’ ଅଧୀନରେ ମାର୍ଚ୍ଚ ୪ରେ ପ୍ରକାଶିତ ଉକ୍ତ ବିଜ୍ଞପ୍ତି ଫଳରେ ଭାରତର ଦରିଆପାରି ନାଗରିକମାନେ ନିଜ ଅଧିକାର ଓ ସ୍ବାଧୀନତାକୁ ନାଟକୀୟ ଭାବେ ହରାଇ ବସିଛନ୍ତି। କାରଣ ପ୍ରବାସୀଙ୍କ ଅଧିକାରଗୁଡ଼ିକୁ ସୁନିଶ୍ଚିତ କରୁଥିବା ପୂର୍ବର ୩ ବିଜ୍ଞପ୍ତି (୨୦୦୫ ଏପ୍ରିଲ ୧୧, ୨୦୦୭ ଜାନୁୟାରୀ ୫ ଓ ୨୦୦୯ ଜାନୁୟାରୀ ୯) ଏହାଦ୍ୱାରା ସ୍ବତଃ ଉଚ୍ଛେଦ ହୋଇଯାଇଛି।
ଓସିଆଇଙ୍କୁ ନେଇ ନୂଆ ବିଜ୍ଞପ୍ତି ସହ ଭାରତ ନିଜ ଦ୍ୱୈତ ନାଗରିକତ୍ୱ ପ୍ରୟୋଗକୁ ଶେଷ କରିଦେଇଛି। ଏଥିରେ ଓସିଆଇମାନଙ୍କୁ ଅପମାନଜନକ ଓ ବେଆଇନ ଭାବେ ‘ବିଦେଶୀ ନାଗରିକ’ ରୂପେ ବର୍ଗୀକରଣ କରାଯାଇଛି। ଏଥିଯୋଗୁ ଭାରତରେ ସେମାନଙ୍କ ଅଧିକାର ଓ ସ୍ବାଧୀନତାରେ ପୂର୍ଣ୍ଣଚ୍ଛେଦ ଲାଗିଛି। ବିଦେଶରେ ରହୁଥିବା ଭାରତୀୟମାନେ ସ୍ବଦେଶକୁ କୌଣସି ଗବେଷଣା, ମିଶନାରି, ତବଲିଘି, ସାମ୍ବାଦିକତା ପାଇଁ ଆସିବାକୁ ଚାହିଁଲେ ଅଥବା ଭାରତରେ କଟକଣା ଜାରି କରାଯାଇଥିବା କିମ୍ବା ସୁରକ୍ଷିତ/ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଥିବା ସ୍ଥାନକୁ ବୁଲି ଆସିବା ପାଇଁ ହେଲେ ସେମାନଙ୍କୁ ଏକ ସ୍ପେଶାଲ ପରମିଟ୍‌ ବା ସ୍ବତନ୍ତ୍ର ଅନୁମତିପତ୍ର ହାସଲ କରିବାକୁ ପଡ଼ିବ। ଏହାସହ ଏଥିରେ ବିଦେଶୀ ନାଗରିକମାନଙ୍କ ଭଳି ବିଦେଶ ବିନିମୟ ପରିଚାଳନା ଆଇନ, ୨୦୦୩ ଅଧୀନରେ ଓସିଆଇମାନଙ୍କୁ ସମସ୍ତ ପ୍ରକାର ଆର୍ଥିକ, ବିତ୍ତୀୟ ଓ ଶୈକ୍ଷିକ କାର୍ଯ୍ୟରେ ‘ବିଦେଶୀ ନାଗରିକ’ଙ୍କ ସହ ସମାନ ବ୍ୟବହାର କରାଯିବ।
୧୬ ବର୍ଷ ଧରି ଓସିଆଇମାନଙ୍କୁ ସେମାନଙ୍କ ଆର୍ଥିକ, ବିତ୍ତୀୟ ଓ ଶୈକ୍ଷିକ ଅଧିକାର କ୍ଷେତ୍ରରେ ନନ୍‌-ରେସିଡେଣ୍ଟ ଇଣ୍ଡିଆନ୍‌ (ଏନ୍‌ଆର୍‌ଆଇ) ବିବେଚନା କରାଯାଉଥିଲା। ନୂଆ ବିଜ୍ଞପ୍ତି ସେମାନଙ୍କ ଏହି ଅଧିକାରକୁ ଛଡ଼ାଇନେଇଛି। ତେବେ ଓସିଆଇମାନେ ଭାରତରେ ଚାଷ ଜମି ଭିନ୍ନ ମେଡିସିନ୍‌, ଆଇନ, ସ୍ଥାପତ୍ୟ, ଆକାଉଣ୍ଟେନ୍ସି ଆଦି ପେସା ପାଇଁ ଜମି କିଣିପାରିବେ। ସେହିପରି ଭାରତୀୟ ଶିକ୍ଷାନୁଷ୍ଠାନଗୁଡ଼ିକରେ ମଧ୍ୟ ଓସିଆଇମାନେ ଏନ୍‌ଆର୍‌ଆଇ ରୂପେ ନାମ ଲେଖାଇପାରିବେ। କିନ୍ତୁ ଭାରତୀୟ ନାଗରିକଙ୍କ ପାଇଁ ସଂରକ୍ଷିତ ସିଟ୍‌ ଦାବି କରିପାରିବେ ନାହିଁ। ନ୍ୟାୟପାଳିକାରେ ଓସିଆଇମାନଙ୍କ ପକ୍ଷରୁ ଦାଏର ମାମଲାଗୁଡ଼ିକରେ କେନ୍ଦ୍ର ସରକାର ହାରିଯାଇଥିବାରୁ ଏପରି କଟକଣା ଜାରି କରିଥିବା କୁହାଯାଉଛି।

Share