ନୂଆଦିଲ୍ଲୀ, ୭।୯: ଗତ କିଛି ଦିନ ଧରି ଦେଶରେ ଗ୍ୟାସର ଅଭାବ ଦେଖାଦେଇଥିଲା। ଏହାକୁ ଦୃଷ୍ଟିରେ ରଖି ସରକାର ନିଷ୍ପତ୍ତି ନେଇଥିଲେ ଯେ, ଗୋଟିଏ ଗ୍ୟାସ ସିଲିଣ୍ଡର ବୁକ୍ କରିବାର ୪୫ ଦିନ ପରେ ହିଁ ଦ୍ୱିତୀୟ ସିଲିଣ୍ଡର ବୁକ୍ କରାଯାଇପାରିବ। ତେବେ ଏବେ କେନ୍ଦ୍ର ସରକାର ଏହି ନିୟମରେ ପରିବର୍ତ୍ତନ କରିଛନ୍ତି।
କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ ଏନେଇ ସୂଚନା ଦେଇ କହିଛନ୍ତି ଯେ, ଏଣିକି ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଗ୍ୟାସ ସିଲିଣ୍ଡର ରିଫିଲର ପରବର୍ତ୍ତୀ ବୁକିଂ ୨୫ ଦିନ ମଧ୍ୟରେ କରାଯାଇପାରିବ।
ଏହି ନୂଆ ବ୍ୟବସ୍ଥା ସୋମବାର, ସେପ୍ଟେମ୍ବର ୭ ତାରିଖରୁ ଲାଗୁ ହୋଇଛି। ଏବେ ଗ୍ରାହକଙ୍କୁ ପୁଣିଥରେ ଗ୍ୟାସ ସିଲିଣ୍ଡର ବୁକ୍ କରିବା ପାଇଁ ୪୫ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ମାତ୍ର ୨୫ ଦିନ ମଧ୍ୟରେ ସେମାନେ ପରବର୍ତ୍ତୀ ଗ୍ୟାସ ସିଲିଣ୍ଡର ବୁକ୍ କରିପାରିବେ। ଏହା ଫଳରେ ଗ୍ରାହକମାନଙ୍କୁ ଗ୍ୟାସ ସିଲିଣ୍ଡର ନେଇ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।
ଏନେଇ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ପର୍ଯ୍ୟଟନ ମନ୍ତ୍ରୀ ସୁରେଶ ଗୋପୀ ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୭ ତାରିଖରେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସେ କହିଛନ୍ତି ଯେ, ଏହି ପରିବର୍ତ୍ତନକୁ ତୁରନ୍ତ ଲାଗୁ କରିବା ପାଇଁ ସରକାର ତୈଳ ବିପଣନ କମ୍ପାନୀ (OMCs)ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି।
ସେ ଆହୁରି କହିଛନ୍ତି ଯେ, ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଯୋଗୁ ତୈଳ କମ୍ପାନୀଗୁଡ଼ିକ ଉପରେ ଅଧିକ ଚାପ ରହିଥିଲା। ଏହି କାରଣରୁ ସହରାଞ୍ଚଳରେ ଗ୍ୟାସ ରିଫିଲ ବୁକିଂ ମଧ୍ୟରେ ୨୫ ଦିନ ଏବଂ ଗ୍ରାମାଞ୍ଚଳରେ ୪୫ ଦିନର ବ୍ୟବଧାନ ରଖାଯାଇଥିଲା। ଏବେ ଏହି ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି।