‘ପଠାନ୍‌’ରେ ପରିବର୍ତ୍ତନ କରିବାକୁ ସେନ୍‌ସର ବୋର୍ଡର ନିର୍ଦ୍ଦେଶ

ମୁମ୍ବାଇ,୨୯ା୧୨: ଡିସେମ୍ବର ୧୨ରୁ ଅନ୍‌ଲାଇନ୍‌ରେ ଉପଲବ୍ଧ ଶାହରୁଖ୍‌ ଖାନ୍‌ ଓ ଦୀପିକା ପାଦୁକୋଣଙ୍କ ଅଭିନୀତ ବଲିଉଡ୍‌ ଫିଲ୍ମ ‘ପଠାନ୍‌’ର ବେସରମ୍‌ ରଙ୍ଗ୍‌ ଗୀତକୁ ନେଇ ବିବାଦ ଜୋର୍‌ ଧରିଛି। ଏଥିରେ କେତେକ ପରିବର୍ତ୍ତନ ଆଣିବାକୁ ସେନ୍‌ସର ବୋର୍ଡ ପକ୍ଷରୁ ପ୍ରଯୋଜକ ଆଦିତ୍ୟ ଚୋପ୍ରାଙ୍କୁ ପରାମର୍ଶ ଦିଆଯାଇଛି। ନୂଆଦିଲ୍ଲୀ ବାସିନ୍ଦା ତଥା ସୁପ୍ରିମକୋର୍ଟ ଆଇନଜୀବୀ ବିନୀତ ଜିନ୍ଦଲ ଏହି ହାଇ ବଜେଟ୍‌ ଫିଲ୍ମକୁ ନେଇ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେଶନ୍‌ (ସିବିଏଫ୍‌ସି) ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ନିକଟରେ ଆପତ୍ତି ଉଠାଇଥିଲେ। ତାଙ୍କ ମତରେ ପାଦୁକୋଣଙ୍କ ଗୈରିକ ବିକିନି ହିନ୍ଦୁଙ୍କ ଭାବାବେଗ ପ୍ରତି କୁଠାରାଘାତ କରିଛି। ବେସରମ୍‌ ରଙ୍ଗ୍‌ ଗୀତରେ ଦୀପିକା ଗୈରିକ ରଙ୍ଗର ସ୍ବଳ୍ପ ବସ୍ତ୍ର ପରିଧାନ କରିଛନ୍ତି। ତେଣୁ ଉକ୍ତ ଭିଡିଓ ଉପରେ କଟକଣା ଲଗାଇବାକୁ ସେ ଅନୁରୋଧ କରିଥିଲେ। ସେହିପରି ରାଜସ୍ଥାନର କର୍ଣ୍ଣୀ ସେନା ସମେତ କେତେକ ସଙ୍ଗଠନ ପକ୍ଷରୁ ଏହାକୁ ବିରୋଧ କରି ରିଲିଜ୍‌ କରାଇ ଦିଆଯିବ ନାହିଁ ବୋଲି ଚେତାବନୀ ଦିଆଯାଇଛି। ସେହିପରି ଭାଜପା ଶାସିତ ମଧ୍ୟପ୍ରଦେଶର କ୍ୟାବିନେଟ୍‌ ମନ୍ତ୍ରୀ ନରୋତ୍ତମ ମିଶ୍ର ମଧ୍ୟ ‘ପଠାନ୍‌’ ରିଲିଜ୍‌କୁ ବିରୋଧ କରିଛନ୍ତି। ଇତିମଧ୍ୟରେ ସିବିଏଫ୍‌ସି ଅଧ୍ୟକ୍ଷ ପ୍ରସୂନ ଜୋଷୀ ଏହି ଫିଲ୍ମ ଓ ବିବାଦୀୟ ଗୀତରେ କେତେକ ପରିବର୍ତ୍ତନ ଆଣିବାକୁ ପ୍ରଯୋଜକଙ୍କୁ କହିଛନ୍ତି। ଏଥିସହ ମୁକ୍ତିଲାଭ ପୂର୍ବରୁ ପରିବର୍ତ୍ତିତ ସଂସ୍କରଣ ଦାଖଲ କରିବାକୁ ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ, ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ପଠାନ୍‌’ ୨୦୨୩ ଜାନୁୟାରୀ ୨୫ରେ ହିନ୍ଦୀରେ ରିଲିଜ୍‌ ହେବ। ଏଥିସହ ତାମିଲ ଓ ତେଲୁଗୁ ଭର୍ସନରେ ମଧ୍ୟ ଏହି ଫିଲ୍ମ ରିଲିଜ୍‌ ହେବ।

Share