ଫାଟ ଲୁଚାଇବାକୁ ସିମେଣ୍ଟ ଲେପ

ବୁଗୁଡ଼ା,୧୨ା୬(ଡି.ଏନ.ଏ.): ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ନୂତନ କୋଠା ନିର୍ମାଣ କାର୍ଯ୍ୟ ବିନା ସୂଚନା ଫଳକରେ ଚାଲିଥିବା ବେଳେ ତାହା ଶେଷ ହେବା ପୂର୍ବରୁ କାନ୍ଥ ଫାଟି ଆଁ କରିବା ଏବଂ ତାହାକୁ ଲୁଚାଇବାକୁ ଯାଇ ସିମେଣ୍ଟ ଲେପ ଦିଆଯିବା ଘଟଣାକୁ ନେଇ ସାଧାରଣରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି। ଉକ୍ତ ନୂତନ କୋଠା ନିର୍ମାଣ ପାଇଁ କେତେ ଟଙ୍କା ବ୍ୟୟ ବରାଦ କରାଯାଇଛି ଏବଂ ନିର୍ମାଣର ସମୟ ସୀମା କେଉଁ ଯାଏ ରହିଛି ତାହା ସର୍ବସାଧାରଣଙ୍କ ଅବଗତ ନିମନ୍ତେ ସୂଚନା ଫଳକରେ ଦର୍ଶାଇବାକୁ ପ୍ରଶାସନ ଭୁଲି ଯାଇଛି। ଏ ନେଇ ଜନସାଧାରଣ ଅନ୍ଧକାରରେ ରହିଥିବା ବେଳେ ସେମାନଙ୍କ ମଧ୍ୟରେ ଅସନ୍ତୋଷ କୁହୁଳୁଛି। ବୁଗୁଡା ସ୍ବାସ୍ଥ୍ୟକେନ୍ଦ୍ରର ନୂତନ କୋଠା ନିର୍ମାଣ ପାଇଁ ଗତ ୧୬ ଡିସେମ୍ବର ୨୦୨୧ରେ ଶିଳାନ୍ୟାସ ହୋଇଥିଲା ବେଳେ ଇତିମଧ୍ୟରେ ଏକ ବର୍ଷରୁ ଊଦ୍ଧର୍‌ବ ସମୟ ଅତିକ୍ରାନ୍ତ ହୋଇଯାଇଛି। କିନ୍ତୁ ଉକ୍ତ ନିର୍ମାଣାଧୀନ ନୂତନ କୋଠାର ବାଡ ଫାଟି ଆଁ କରିବା ଏବଂ ସେଥିରେ ସିମେଣ୍ଟ ଲେପ ଦେଇ ଲୁଚାଇବାକୁ ଚେଷ୍ଟା କରାଯାଇଥିବା ଘଟଣା ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ରମେଶ କୁମାର ଚୌଧୁରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବାରେ ତାହାକୁ ସେ ହାଲୁକା ଭାବେ ଗ୍ରହଣ କରି ଘଟଣାର ଅନୁସନ୍ଧାନ କରାଯିବ ବୋଲି କହିଛନ୍ତି। ତେଣୁ ସୂଚନା ଫଳକ ମାରି କାର୍ଯ୍ୟ ଶୀଘ୍ର ଶେଷ କରିବା ସହ ଲୋକସେବାରେ ବିନିଯୋଗ କରିବା ପାଇଁ ସାଧାରଣରେ ଦାବି ହେଉଛି।