ଏହି ଅଭିନେତାଙ୍କ ଜୀବନକୁ ନର୍କ କରିଦେଇଥିଲା ଡ୍ରଗ୍ସ ନିଶା: କିଏ ଯାଇଥିଲା ଜେଲ ତ କିଏ ମାଗିଥିଲା ଭିକ

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ନିଶା ସେବନକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ସୁଶାନ୍ତଙ୍କ ଘରେ ପ୍ରାୟ ସବୁବେଳେ ପାର୍ଟି ହେଉଥିଲ ବୋଲି କୁହାଯାଉଛି। ତେବେ ଏହା ପ୍ରଥମ ଘଟଣା ନୁହେଁ ଯେଉଁଠି ଜଣେ ଅଭିନେତା ନିଶା କବଳରେ ଫସିଥିବା ଜଣାପଡ଼ିଛି। ନିଶାକୁ ନେଇ ଅନେକ ଅଭିନେତା ବଦନାମ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଏଥିପାଇଁ ଜେଲ୍‌ ଯାଇଥିବା ବେଳେ କିଛି ଦେବାଳିଆ ହେବାର ନଜିର ରହିଛି।

ଅଭିନେତା ସଞ୍ଜୟ ଦତ୍ତ ୧୦ ବର୍ଷ ଧରି ଡ୍ରଗ୍ସ ସେବନ କରିଥିଲେ। ଏପରି କିଛି ନିଶା ନ ଥିଲା ଯାହା ସେ ଖାଇନାହାନ୍ତି। ପରେ ପରିସ୍ଥିତି ଗମ୍ଭୀର ହେବାରୁ ତାଙ୍କୁ ଆମେରିକାର ଜଣାଶୁଣା ରିହାବ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ଏବେ ସେ ଫୁସ୍‌ଫୁସ୍‌ କର୍କଟରେ ପୀଡ଼ିତ ଥିବା ଜଣାପଡ଼ିଛି।

ଦିବଂଗତ ଅଭିନେତା ଋଷି କପୁରଙ୍କ ପୁଅ ରଣବୀର କପୁର ଅନ୍ୟତମ ଆଗଧାଡ଼ିର ଅଭିନେତା। ସେ ସ୍କୁଲ ସମୟରୁ ଡ୍ରଗ୍ସ ନେବା ଆରମ୍ଭ କରିଥିଲେ। ଏହାପରେ ନିଶା ସେବନ ତାଙ୍କ ଅଭ୍ୟାସରେ ପରିଗଣିତ ହୋଇଥିଲା। ଏବେ ସେ ଡ୍ରଗ୍ସ ସେବନ କରୁନାହାନ୍ତି। ହେଲେ ଲଗାତାର ସିଗାରେଟ୍‌ ଟାଣୁଥିବା କୁହାଯାଉଛି।

ନିଶା କବଳରେ ଫସିଥିବା ଆଉ ଜଣେ ଅଭିନେତା ହେଲେ ଫର୍‌ଦିନ ଖାନ୍‌। ସେ ଡ୍ରଗ୍ସ ସେବନ କରୁଥିଲେ। ୨୦୦୧ ମେ ୫ରେ କୋକେନ ସହ ଧରାପଡ଼ିବାରୁ ତାଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ୫ ଦିନ ଜେଲରେ ବିତାଇଥିଲେ ସେ। ପରେ ସେ ଜାମିନରେ ଆସିଥିଲେ। ଏହାପରେ ସେ ରିହାବ୍‌ ସେଣ୍ଟରକୁ ଯାଇ ନିଶା ଛାଡ଼ିବାକୁ ଚେଷ୍ଟା କରିଥିଲେ।

ପ୍ରତିକ ବବ୍ବର ପାଞ୍ଚ ବର୍ଷ ଧରି ଡ୍ରଗ୍ସ ନେଇଥିଲେ। ଏବେ ସେ ଏହାକୁ ଛାଡ଼ି ସାରିଛନ୍ତି। ଅଭିନେତା ବିଜୟ ରାଜ ଡ୍ରଗ୍ସ ସହ ଧରାପଡ଼ି ଗିରଫ ହୋଇଛନ୍ତି। ୨୦୦୫ରେ ଦୁବାଇ ପୋଲିସ ତାଙ୍କୁ ଗିରଫ କରିଥିଲା।

୯୦ ଦଶକର ଲୋକପ୍ରିୟ ମଡେଲ ଗୀତାଞ୍ଜଳି ନାଗପାଲ ଡ୍ରଗ୍ସ ନେଉଥିଲେ। ଏଥିପାଇଁ ସେ ନିଜେ ଅନ୍ୟଘରେ ଚାକରାଣୀ ଭଳି କାମ କରିବାକୁ ମଧ୍ୟ ପଛାଇନାହାନ୍ତି। ପରେ ପରିସ୍ଥିତି ଏଭଳି ହୋଇଥିଲା ଯେ ନିଜର ଶେଷ ସମୟରେ ସେ ଦିଲ୍ଲୀର ବିଭିନ୍ନ ରାସ୍ତାରେ ଭିକ ମାଗୁଥିବା ଦେଖାଯାଇଥିଲା।

ସେହିଭଳି ଲୋକପ୍ରିୟ ର଼୍ୟାପର ହନି ସିଂ ଡ୍ରଗ୍ସ କବଳରେ ଫସିଥିଲେ। ଫଳରେ ତାଙ୍କୁ ଚିହ୍ନିବା ମୁସ୍କିଲ ହୋଇଥିଲା। ଏକ ବର୍ଷ ଧରି ରିହାବ ସେଣ୍ଟରରେ ରହିବା ପରେ ସେ ଏବେ ନିଜ ପୂର୍ବାବସ୍ଥାକୁ ଫେରିଛନ୍ତି।

Share