ସବୁଠି ଉତ୍ସବ

ବାରିପଦା ଅଫିସ/ରାଇରଙ୍ଗପୁର, ୨୬।୭(ଡି.ଏନ.ଏ.) ଭାରତର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ମୟୂରଭଞ୍ଜ ମାଟିର ଝିଅ ଦ୍ରୌପଦୀ ମୁର୍ମୁ। ଏନେଇ ଜିଲା ତଥା ଅଞ୍ଚଳବାସୀ ବେଶ୍‌ ଖୁସି ମନାଇଛନ୍ତି। ଜିଲାର ଚାରିଆଡ଼େ ଦେଖିବାକୁ ମିଳିଛି ଉତ୍ସବର ମାହୋଲ। ବିଭିନ୍ନ ସ୍ଥାନରେ ଦ୍ରୌପଦୀ ମୁର୍ମୁଙ୍କ ହୋଡିଂ ଓ ଫଟୋ ଲଗାଯାଇଛି। ଜିଲାରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟର ଲୋକେ ନିଷ୍ଠାର ସହ ପୂଜାପାଠ କରି ଶୁଭ ମନାସିଛନ୍ତି ା ଦ୍ରୌପଦୀ ମୁର୍ମୁ ଦାୟିତ୍ୱ ଗ୍ରହଣ କରିବା ପରେ ଜନ୍ମମାଟି କୁସୁମୀ ବ୍ଲକ ଉପରବେଡ଼ା ଓ ଶାଶୁଘର ପାହାଡ଼ପୁର ଗ୍ରାମବାସୀ ଖୁସିରେ ଉତ୍‌ଫୁଲ୍ଲିତ ହୋଇପଡ଼ିଛନ୍ତି।
ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଛାତ୍ରୀଛାତ୍ରମାନେ ୩ଶହରୁ ଊର୍ଦ୍ଧ୍ୱ ଚାରାରୋପଣ କରିଛନ୍ତି। ସେହିପରି ରାଇରଙ୍ଗପୁରସ୍ଥିତ କଲ୍ୟାଣ ମଣ୍ଡପ ସମ୍ମୁଖରେ ସହରବାସୀ ବାଣ ଫୁଟାଇ ଖୁସି ମନାଇଥିଲେ। ଶ୍ରୀମା ଶ୍ରୀଅରବିନ୍ଦ ସ୍କୁଲର ଛାତ୍ରୀଛାତ୍ର ଓ ଅଞ୍ଚଳବାସୀ ଶପଥପାଠ ଉତ୍ସବର ସିଧା ପ୍ରସାରଣ ଏଲ୍‌ଇଡି ମାଧ୍ୟମରେ ଦେଖି ଉତ୍ସାହିତ ହୋଇଥିଲେ। ମହିଳାପୁରୁଷ, ଛାତ୍ରୀଛାତ୍ରମାନେ ହାତକୁ ହାତ ଧରି ଗୀତ ଓ ମାଦଳର ତାଳେ ତାଳେ ମସଗୁଲ ହୋଇପଡ଼ିଥିଲେ। ପରସ୍ପରକୁ ମିଠା ଖୁଆଇ ଅଭିନନ୍ଦନ ଜଣାଇଥିଲେ।