ଅସ୍ତଗାମୀ ସୂର୍ଯ୍ୟଙ୍କୁ ବ୍ରତଧାରୀଙ୍କ ଅର୍ଘ୍ୟ ଅର୍ପଣ

ସମ୍ବଲପୁର,୧୯ା୧୧(ପ୍ରମୋଦ ବହିଦାର): ସମ୍ବଲପୁର ସହରରେ ହର୍ଷ ଉଲ୍ଲାସର ସହିତ ପବିତ୍ର ଛଟ୍‌ପର୍ବ ପାଳନ କରାଯାଇଛି। ରବିବାର ସମ୍ବଲପୁର ସହରର ବିଭିନ୍ନ ନଦୀ ଘାଟ ସମେତ ବିଭିନ୍ନ ଜଳାଶୟରେ ଏନେଇ ସ୍ବତନ୍ତ୍ର ଆୟୋଜନ କରାଯାଇଥିଲା। ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ କଟରଧୁଆ, ମନ୍ଦଲିଆ, ସାକ୍ଷୀପଡ଼ା, ଏନ୍‌ଗୁହାଲେନ୍‌, ସିଦ୍ଧେଶ୍ୱର ବେର୍ଣ୍ଣା, ବରେଇପାଲି, ମହାନଦୀର ବାଲିବନ୍ଧା ଓ ମାରୱାଡ଼ିପଡ଼ା ଘାଟ ଆଦି ବିଭିନ୍ନ ସ୍ଥାନରେ ବିହାରୀ ସମ୍ପ୍ରଦାୟ ଲୋକେ ଅସ୍ତଗାମୀ ସୂର୍ଯ୍ୟଙ୍କ ପୂଜାର୍ଚ୍ଚନା ସହ ଅର୍ଘ୍ୟ ଅର୍ପଣ କରିଛନ୍ତି।

ଛଟ୍‌ପର୍ବ ପାଇଁ ମନ୍ଦଳିଆ ଓ କଟରଧୁଆଠାରେ ଥିବା ଜଳାଶୟଗୁଡ଼ିକରେ ସ୍ଥାନୀୟ ଯୁବଗୋଷ୍ଠୀଙ୍କ ପକ୍ଷରୁ ବିଶେଷ ଆୟୋଜନ କରାଯାଇଥିଲା। ମନ୍ଦଳିଆର ସୂର୍ଯ୍ୟମିତ୍ର ମଣ୍ଡଳ ପକ୍ଷରୁ ଏଥିପାଇଁ ନିକଟସ୍ଥ ଜଳାଶୟରେ ବିଶେଷ ପ୍ରସ୍ତୁତି କରାଯାଇଥିଲା। ମନ୍ଦଳିଆ ଘାଟରେ ଛଟ୍‌ ବ୍ରତଧାରୀ ଭକ୍ତ ଯେଭଳି ଭାବରେ ଅସ୍ତଗାମୀ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଅର୍ପଣ କରିପାରିବେ ସେଥିପାଇଁ ଏଠାରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଅପରାହ୍ନରେ ବହୁ ସଂଖ୍ୟାରେ ସ୍ଥାନୀୟ ବିହାରୀ ସମ୍ପ୍ରଦାୟର ମହିଳା ଓ ପୁରୁଷ ଭକ୍ତ ନୂତନ ବସ୍ତ୍ର ପରିଧାନ କରି ମୁଣ୍ଡରେ କୁଲା ଓ ବାଉଶ ତିଆରି ପାଚିଆରେ ପୂଜାସାମଗ୍ରୀ ଧରି ଶଳାଶୟ ଘାଟରେ ପହଞ୍ଚି ଥିଲେ। ଏହାବାଦ ଜଳଗର୍ଭରେ ରହି ଏଠାରେ ସାମୂହିକ ଭାବେ ପୂଜାର୍ଚ୍ଚନା ପୂର୍ବକ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିଥିଲେ। କଟରଧୁଆରେ ମଧ୍ୟ ଅନୁରୂପ ଭାବେ ବେଶ ଧୁମ୍‌ଧାମ୍‌ରେ ଛଟ୍‌ପର୍ବ ପାଳିତ ହୋଇଛି। ସେହିପରି ବରେଇପାଲିରେ ମଧ୍ୟ ନାଲେଶ୍ୱର ଧାମ ଛଟ୍‌ପୂଜା କମିଟି ପକ୍ଷରୁ ଛଟ୍‌ପର୍ବ ପାଳନ ପାଇଁ ବିଶେଷ ଆୟୋଜନ କରାଯାଇଥିଲା। ଛଟପର୍ବ ପାଇଁ ହୋଇଥିବା ଆୟୋଜନରେ ସୂର୍ଯ୍ୟ ମିତ୍ର ମଣ୍ଡଳ ଅନୁଷ୍ଠାନର ମୁନ୍ନା ତିୱାରୀ, ଅଶୋକ ସାହୁ, ରାଜା ଯାଦବ, ମନନ୍‌ ସାହୁ, ହରବିନ୍ଦର ଯାଦବ, ମୁସାଫିର ଯାଦବ, ତାରକେଶ୍ୱର ଯାଦବ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।