ସୁନ୍ଦରଗଡ଼,୫।୮(ଡି.ଏନ୍‌.ଏ.): ଟୋକିଓ ଅଲିମ୍ପିକ୍ସରେ ଜର୍ମାନୀକୁ ୫-୪ ଗୋଲରେ ହରାଇ ଭାରତ ପୁରୁଷ ହକି ଦଳ ବ୍ରୋଞ୍ଜପଦକ ହାସଲ କରିଛି ଭାରତୀୟ ଦଳ। ଏହାପରେ ଓଡ଼ିଶା ହକିର ଅନ୍ତୁଡିଶାଳ କୁହାଯାଉଥିବା ସୁନ୍ଦରଗଡ଼ରେ ଖୁସିର ଲହରି ଖେଳିଯାଇଛି। ଭାରତୀୟ ମହିଳା ଓ ପୁରୁଷ ହକିଦଳରେ ସାମିଲ ଥିବା ୪ ଓଡ଼ିଆ ଖେଳାଳିଙ୍କ ଗାଁ ମାଟି ଉତ୍ସବ ମୁଖର ହୋଇପଡିଥିଲା। ସୁନ୍ଦରଗଡ଼, ରାଉରକେଲା ସମେତ ବାଲିଶଙ୍କରା ବ୍ଲକର ସଉନାମୁରା ଓ ଗୁରୁଣ୍ଡିଆ ବ୍ଲକର ଲଛଡା ଗ୍ରାମରେ ଲୋକେ ଖୁସି ମନାଇଥିଲେ।

ହକିପ୍ରେମୀ ଓ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ମିଠାବାଣ୍ଟି ବାଜାବଜେଇ ଗୀତଗାଇ ନାଚି ଥିଲେ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସ ଜରିଆରେ ଭାରତୀୟ ପୁରୁଷ ହକିଦଳରେ ସାମିଲ ହୋଇଥିବା ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରାଙ୍କ ପରିବାରବର୍ଗଙ୍କ ସହିତ କଥା ହୋଇ ଶୁଭେଚ୍ଛା ଜଣାଇଛନ୍ତି। ବ୍ରୋଞ୍ଜପଦକ ହାସଲ କରିବା ଖବର ଜାଣିବା ପରେ ଅମିତଙ୍କ ଗାଁ ସଉନାମୁରାରେ ମା’ଗୋଲାପୀ, ଭାଇ ନିରଞ୍ଜନ, ଭାଉଜ ଦୁଷ୍ମନ୍ତି ତଥା ଗ୍ରାମବାସୀ ଆନନ୍ଦିତ ହୋଇଥିଲେ। ଅମିତ ଆଜି ସାରା ବିଶ୍ୱରେ ଭାରତର ନାଁ ରଖି ବିଜୟରଟିକା ପିନ୍ଧାଇ ଥିବାରୁ ମା’ ହିସାବରେ ନିଜକୁ ଧନ୍ୟ ଓ ଗୌରବାନ୍ବିତ ମନେ କରୁଛି ବୋଲି ଗୋଲାପୀ ପ୍ରକାଶ କରିଛନ୍ତି। ଏହି ବିଜୟ ନେଇ ସୁନ୍ଦରଗଡ଼ ତଥା ଓଡ଼ିଶାବାସୀ ଅମିତ ଗର୍ବ ଓ ଗୌରବ ବୋଲି କହିଛନ୍ତି। ଏହି ବିଜୟ ପରେ ସୁନ୍ଦରଗଡ଼ ମାଟିର ଯୁବ ହକି ଖେଳାଳିମାନଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପ୍ରକାଶ ପାଇଛି। ଗତ କିଛିବର୍ଷ ବ୍ୟବଧାନରେ ଭାରତୀୟ ଦଳ ହକିରେ ଭଲପ୍ରଦର୍ଶନ କରି ନ ଥିବା ନେଇ ଯେଉଁ ନୈରାଶ୍ୟ ସୃଷ୍ଟି ହେଉଥିଲା ତାହା ଏବେ ଦୂର ହୋଇଛି ଓ ହକିକୁ କ୍ୟାରିୟର ଭାବେ ନେବାକୁ ଯୁବପିଢିଙ୍କ ମଧ୍ୟରେ ଆଶା ସଞ୍ଚାର କରିଛି ବୋଲି ଜିଲା କ୍ରୀଡ଼ା ଅଧିକାରୀ ମିଲଟନ ବିଲୁଙ୍ଗ କହିଛନ୍ତି।

ଏହି ଐତିହାସିକ ବିଜୟ ନେଇ ସୁନ୍ଦରଗଡ ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ଡିଆର୍‌ଡିଏ ଛକରେ ବିଜୟଉତ୍ସବ ପାଳନ କରି ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ଏଥିସହ ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଯୋଗେଶ କୁମାର ସିଂଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ସଉନାମୁରା ଗ୍ରାମକୁ ଯାଇ ଅମିତଙ୍କ ମା’ଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ଶୁଭେଚ୍ଛା ଜଣାଇ ସମ୍ମାନିତ କରିଥିଲେ। ସେହିପରି ରାଉରକେଲା ପାନପୋଷ ସ୍ପୋଟ୍ସର୍ର୍ ହଷ୍ଟେଲରେ ସମସ୍ତ ଛାତ୍ରୀଛାତ୍ର ଏକତ୍ରିତ ହୋଇ ମ୍ୟାଚକୁ ଉପଭୋଗ କରିବା ସହ ବିଜୟ ପରେ ଖୁସି ମନାଇଥିଲେ। ବରିଷ୍ଠ କୋଚ୍‌ ଅମୂଲ୍ୟାନନ୍ଦ ବିହାରୀ, ବିଜୟ ଲାକ୍ରା, ଅମୂଲ୍ୟ ବେହେରା, ପିଟର ସୋରେଙ୍ଗ, ଫ୍ଳୋରେନସିଆ ଲାକ୍ରା, ଜାତୀୟ ହକି ଅମ୍ପାୟର ରାଜେନ୍‌ ଏକ୍କା ଉପସ୍ଥିତ ରହି ଏହି ଫଳାଫଳ ନେଇ ସନ୍ତୁଷ୍ଟ ଥିବା କହିଛନ୍ତି। ଏହି ସଫଳତା ହକି ଇତିହାସରେ କେବଳ ଗୌରବର ନୂଆଫର୍ଦ୍ଦ ଯୋଡିବନି ବରଂ ଏକାଧିକ ଖେଳାଳିଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି।