ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍ଫାୟାର୍) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’ ବା ମେସେଞ୍ଜର ଭାବେ କାର୍ଯ୍ୟ କରି ସଫଳତା ପାଇବା ପରେ ସେଠାକାର ଶେହବାଜ ସରିଫ ସରକାର ଆଜି (ଶୁକ୍ରବାର, ୧୦ ଏପ୍ରିଲ) ସାରା ଦେଶରେ ‘ଥାଙ୍କ୍ସ ଗିଭିଂ ଡେ’ ପାଳନ କରିବାକୁ ଘୋଷଣା କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଏହାକୁ ଏକ ବଡ଼ କୂଟନୈତିକ ବିଜୟ ବୋଲି ଅଭିହିତ କରିଛନ୍ତି।
ଆମେରିକୀୟ ମିଡିଆ ରିପୋର୍ଟ ଅନୁଯାୟୀ, ଆମେରିକାର ବାର୍ତ୍ତାକୁ ଇରାନ ପାଖରେ ପହଞ୍ଚାଇବା ପାଇଁ ପାକିସ୍ତାନ ମୁଖ୍ୟ ମାଧ୍ୟମ ସାଜିଥିଲା। ଯୁଦ୍ଧବିରତିର ଚିଠା (ଡ୍ରାଫ୍ଟ) ପ୍ରସ୍ତୁତ ହେବା ପରେ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ପ୍ରଥମେ ଏହାକୁ ସାର୍ବଜନୀନ କରିଥିଲେ। ପରେ ଏହାକୁ ଡୋନାଲ୍ଡ ଟ୍ରମ୍ପ ଏବଂ ଇରାନର ସୁପ୍ରିମ ଲିଡର ଅନୁମୋଦନ କରିଥିଲେ।
ବିଶେଷଜ୍ଞଙ୍କ ମତରେ ଏହି ପଦକ୍ଷେପ ପଛରେ ପାକିସ୍ତାନର ଅନେକ ସ୍ବାର୍ଥ ରହିଛି:
ଆର୍ଥିକ ସୁଧାର: ନିଜର ଦେବାଳିଆ ଅର୍ଥନୀତିକୁ ସଜାଡ଼ିବା ପାଇଁ ପାକିସ୍ତାନ ଏହି ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁନାହିଁ।
ଆମେରିକା ସହ ସମ୍ପର୍କ: ପାକିସ୍ତାନ ସେନା ମୁଖ୍ୟ ଆସିମ ମୁନୀର ଏବଂ ଟ୍ରମ୍ପଙ୍କ ମଧ୍ୟରେ ସିଧାସଳଖ ଆଲୋଚନା ହୋଇଥିବାରୁ ଆଗକୁ ଆମେରିକା ସହ ପ୍ରତିରକ୍ଷା ସମ୍ପର୍କ ମଜଭୁତ ହେବାର ଆଶା ରହିଛି।
ମଧ୍ୟପ୍ରାଚ୍ୟରେ ପ୍ରଭାବ: ମଧ୍ୟପ୍ରାଚ୍ୟର ମୁସଲିମ ଦେଶଗୁଡ଼ିକ ମଧ୍ୟରେ ପାକିସ୍ତାନ ନିଜର ଗୁରୁତ୍ୱ ବଢ଼ାଇବାକୁ ଚାହୁଁଛି। ରକ୍ଷା ଚୁକ୍ତି ମାଧ୍ୟମରେ ସେ ଏହି ଦେଶଗୁଡ଼ିକରୁ ନିବେଶ ଓ ଋଣ ପାଇବାକୁ ଲକ୍ଷ୍ୟ ରଖିଛି।
ବିଶ୍ୱସନୀୟତା: ସଙ୍କଟ ସମୟରେ ସମାଧାନର ବାଟ ବାହାର କରି ପାକିସ୍ତାନ ବିଶ୍ୱ ଦରବାରରେ ନିଜର କ୍ରେଡିବିଲିଟି ବଢ଼ାଇବାକୁ ଚେଷ୍ଟା କରୁଛି।
ଏହି ସଫଳତା ସହ ପାକିସ୍ତାନ ପାଇଁ ଏକ ନୂଆ ବିପଦ ମଧ୍ୟ ସୃଷ୍ଟି ହୋଇଛି। ସଂଯୁକ୍ତ ଆରବ ଏମିରେଟ୍ସ (UAE) ପାକିସ୍ତାନ ଉପରେ ପ୍ରବଳ ଅସନ୍ତୋଷ ପ୍ରକାଶ କରିଛି। ବିଶେଷଜ୍ଞ ଅଜମଦ ତାହାଙ୍କ ଅନୁଯାୟୀ, ପାକିସ୍ତାନ ଏହି ପୁରା ପ୍ରକ୍ରିୟାରେ ୟୁଏଇକୁ ଅନ୍ଧାରରେ ରଖିଛି। ଏହି କାରଣରୁ ୟୁଏଇ ତା’ର ୩.୫ ବିଲିୟନ ଡଲାରର ଋଣ ଏହି ମାସ ଶେଷ ସୁଦ୍ଧା ଫେରସ୍ତ ମାଗିଛି, ଯାହା ପାକିସ୍ତାନ ପାଇଁ ଏକ ବଡ଼ ଚିନ୍ତାର ବିଷୟ।

